ଗାନ୍ଧୀନଗର: ମୌସୁମୀ ଜନିତ ବର୍ଷାରେ ବେହାଲ ହୋଇଛି ସୁରଟ । ସକାଳେ ସକାଳେ ଲଗାଣ ବର୍ଷା ପରେ ସହରରେ ବନ୍ୟା ପରି ସ୍ଥିତି ଉପୁଜିଛି । ପ୍ରବଳ ବର୍ଷା ଫଳରେ ସହର ବିଭିନ୍ନ ସ୍ଥାନରେ ଆଣ୍ଠୁଏ ଆଣ୍ଠୁଏ ପାଣି ଛିଡ଼ା ହୋଇଛି ଯାହା ଫଳରେ ଜନ ଜୀବନ ପ୍ରଭାବିତ ହୋଇଛି । ଜଳ ପାଇଁ ସହରରେ ଦେଖା ଦେଇଛି ଟ୍ରାଫିକ ସମସ୍ୟା । ବର୍ଷା ଏତେ ଜୋରରେ ହୋଇଛି ଯେ ରାସ୍ତାରେ ବାଇକ୍ ସବୁ ଭାସୁଥିବା ଦେଖିବାକୁ ମିଳିଛି ଆଉ କାର୍ ଅଧା ବୁଡି ଯାଇଛି ।
ତେବେ ଆଜି ସକାଳ ୮ରୁ ୧୦ଟା ଯାଏଁ ପ୍ରବଳ ବର୍ଷା ହୋଇଥିଲା । ଯାହା ଫଳରେ ସହର ଜଳବନ୍ଦୀ ହୋଇଛି । ବର୍ଷା ଜଳ ବିଭିନ୍ନ ଆପାର୍ଟମେଣ୍ଟରର ତଳେ ରହୁଥିବା ଲୋକଙ୍କ ଘରେ ପଶିଛି ଏବଂ ଲୋକେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । ବର୍ଷା ପାଇଁ ସ୍କୁଲକୁ ଛୁଟି ଘୋଷଣା କରାଯାଇଛି । ସୁରକ୍ଷା ଦୃଷ୍ଟିରୁ ପିଲା ଏବଂ ଶିକ୍ଷକଙ୍କ ପାଇଁ ସ୍କୁଲକୁ ଛୁଟି ରଖାଯାଇଛି ।
ଡ୍ରେନେଜ ସମସ୍ୟା ପାଇଁ ସହରର ମୁଖ୍ୟ ରାସ୍ତାର ପାଣି ଜମା ହୋଇଛି । ଲୋକେ ସେହି ପାଣିରେ ପଶି ଯାଉଥିବା ଦେଖିବାକୁ ମିଳିଛି । କିଏ କାର୍ ନେଇ ଯାଉଥିବା ବେଳେ ଗାଡିରେ ପାଣି ପଶି ଗାଡ଼ି ବନ୍ଦ ହୋଇଯାଉଥିବା ବେଳେ ଲୋକେ ଅଣ୍ଟେ ଅଣ୍ଟେ ପାଣିରେ ପଶି ରାସ୍ତା ପାର୍ ହେଉଛନ୍ତି ।
