Image 2025 06 24t165405.326

ଭୁବନେଶ୍ୱର: ଆମେ ଗୋପାଳପୁରରୁ ଫେରିବାପରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଯାଇଥିଲୁ, ହେଲେ ସେ ସମୟ ଦେଉ ନାହାନ୍ତି । ରାଜ୍ୟରେ ବିଜେପି ସରକାରର ବର୍ଷେ ବିତିଗଲା, ହେଲେ ମହିଳା କମିଶନ ଚୟନ ହୋଇପାରିଲା ନାହିଁ । ଏଠାକାର ପ୍ରଶାସନ ଠିକ୍ କାମ କରୁନାହିଁ ବୋଲି କହିଛନ୍ତି ଗୋପାଳପୁର ଓ କେନ୍ଦୁଝର ଲଜ୍ଜା ଘଟଣାରେ କଂଗ୍ରେସର କେନ୍ଦ୍ରୀୟ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍‌ ।

ଆଜି କଂଗ୍ରେସ ପକ୍ଷରୁ ହୋଇଥିବା ସାମ୍ବାଦିକ ସମ୍ମିଳନୀ ଆହୁରି କୁହାଯାଇଛି ଯେ, ନାରୀ ନିର୍ଯାତନା ପ୍ରସଙ୍ଗରେ ରାଷ୍ଟ୍ରପତିଙ୍କୁ ଭେଟିବ ଏଆଇସିସି ତଥ୍ୟ ଅନୁଧ୍ୟାନ କମିଟି । ପୂର୍ବତନ ମହିଳା କଂଗ୍ରେସ ସଭାନେତ୍ରୀ ଦିପା ଦାସମୁନସୀ ଏନେଇ କହିଛନ୍ତି, ଏଆଇସିସି ତଥ୍ୟ ଅନୁଧ୍ୟାନ କମିଟି ଗଞ୍ଜାମର ଗୋପାଳପୁର, କନ୍ଧମାଳର ଟିକାବାଲି, କେନ୍ଦୁଝରର ହରିଚନ୍ଦନପୁର ଦୁଷ୍କର୍ମ ଓ ଗଣଦୁଷ୍କର୍ମ ସ୍ଥଳକୁ ଯାଇ ଅନୁଧ୍ୟାନ କରିଛନ୍ତି । ଏହି କମିଟି ରାଷ୍ଟ୍ରପତିଙ୍କୁ ଭେଟି ନାରୀ ନିର୍ଯାତନା ପ୍ରସଙ୍ଗରେ ରିପୋର୍ଟ ଦେବ ।

ଏହା ସହ ଏହି ଟିମ୍ ପ୍ରକାଶ କରିଛି ଯେ, ଲୋକସଭା ବିରୋଧୀ ଦଳ ନେତା ଓ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ଓ ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ଆମେ ଏହି ଫ୍ୟାକ୍ଟ ଫାଇଣ୍ଡିଂ ରିପୋର୍ଟ୍ ଦାଖଲ କରିବୁ । ଆମେ ଲୋକସଭା, ରାଜ୍ୟସଭାରେ ଏ କଥା ଉଠାଇବୁ ବୋଲି କହିଛି ଟିମ୍‌ ।

ଏନେଇ ପିସିସି ସଭାପତି ଭକ୍ତ ଚରଣ ଦାସ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନା ସୁରକ୍ଷା ଦେଉଛନ୍ତି, ନା ଆଲୋଚନା କରିବାକୁ ଚାହୁଁଛନ୍ତି। ରାଜ୍ୟରେ ନାରୀ ହିଂସା ବଢୁଛି । ଦୁଷ୍କର୍ମ, ଗଣଦୁଷ୍କର୍ମ, ମହିଳା ଏବଂ ଶିଶୁ ନିଖୋଜ ସଂଖ୍ୟା ବଢିଛି। ତଥ୍ୟ ଅନୁଧ୍ୟାନ କମିଟି ଯାଇ ସମସ୍ତଙ୍କୁ ଭେଟିଛି । ପୀଡ଼ିତା ଏବଂ ପରିବାର ଲୋକଙ୍କ ଦୁଃଖ ଶୁଣିଲା । ରାଜ୍ୟରେ ନାରୀମାନେ ଡରି ଡରି ବଞ୍ଚୁଛନ୍ତି ବୋଲି ସେ କହିଛନ୍ତି ।

ଏଠି ପ୍ରତି ଦୁଇ କିଲୋମିଟର ଅନ୍ତରରେ ଜଣେ ଦୁଷ୍କର୍ମର ଶିକାର ହେଉଛନ୍ତି । ଏଠାରେ ମହିଳାମାନେ ଆଉ ସୁରକ୍ଷିତ ନାହାନ୍ତି । ବେଟି ବଚାଓ ବେଟି ପଢ଼ାଓ ପ୍ରହସନ ପାଲଟିଛି । ରାଜ୍ୟରେ ଡ୍ରଗ୍ସ ଆଉ ମଦର ଅବାଧ କାରବାର ମଧ୍ୟ ହେଉଛି । ଏଠାରେ ଅଭିଯୁକ୍ତଙ୍କୁ ବଞ୍ଚାଇବାକୁ ପ୍ରଚେଷ୍ଟା କରାଯାଉଛି । ଆମେରିକା ମଧ୍ୟ ଓଡ଼ିଶା ସରକାରଙ୍କୁ ନିନ୍ଦା କରିଛି । ବହୁତ ହାଲୁକା ଭାବେ ସରକାର ସବୁ କଥାକୁ ନେଉଛନ୍ତି ବୋଲି ସେ କହିଛନ୍ତି ।

Share