ପୁରୀ: ଦଶ ମୂଳ ମୋଦକ ଚୋରୀ ଅଭିଯୋଗରେ ନୂଆ ମୋଡ । ଅନବସରରେ ମହାପ୍ରଭୁଙ୍କୁ ଦଶମୂଳ ମୋଦକ ଲାଗି ପୂର୍ବରୁ ୭୦ ମୋଦକ କମ୍ ପଡ଼ିବା ନେଇ ବାଡଗ୍ରାହୀଙ୍କ ଅଭିଯୋଗ ପରେ ଜୋର୍ ଧରିଛି ଚୋରି ଚର୍ଚ୍ଚା । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ କମାଣ୍ଡରଙ୍କୁ ଏନେଇ ଚିଠି କରିଛନ୍ତି ବଳଭଦ୍ରଙ୍କ ବାଡଗ୍ରାହୀ ହଳଧର ଦାସ ମହାପାତ୍ର । ଚିଠିରେ ୭୦ଟି ମୋଦକ କମ୍ ରହିଥିବା ଅଭିଯୋଗ ହୋଇଥିବା ବେଳେ, ମାରା ମୋଦକ ମହାପ୍ରଭୁଙ୍କ ପାଖରେ ଲାଗି ହୋଇଥିବା ଅଭିଯୋଗ କରିଛନ୍ତି ହଳଧର ଦାସ ମହାପାତ୍ର ।
ହଳଧରଙ୍କ ଅଭିଯୋଗରେ ମତ ମିଳାଇଛନ୍ତି ମହାପ୍ରଭୁଙ୍କ ବାଡଗ୍ରାହୀ ଜଗନ୍ନାଥ ସ୍ବାଇଁ ମହାପାତ୍ର । ଜଗନ୍ନାଥ ସ୍ବାଇଁ ମହାପାତ୍ର କହିଛନ୍ତି ମୋଦକ କମ୍ ପଡ଼ିବା ସତ । ୩୧୩ଟି ମୋଦକରୁ କେମିତି ଉଭାନ ହେଲା ୭୦ ମୋଦକ । ସିସିଟିଭି ଆଧାରରେ ଏନେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଜଗନ୍ନାଥ ସ୍ୱାଇଁ ମହାପାତ୍ର ।
ତେବେ ଏନେଇ ଅନ୍ୟ ସେବକ ମାନେ ମଧ୍ୟ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଥିବା ବେଳେ ମୁଖ୍ୟ ପ୍ରଶାସକ କହିଛନ୍ତି ପ୍ରାରମ୍ଭିକ ତଦନ୍ତ ଅନୁଯାୟୀ ଅଭିଯୋଗ ସତ୍ୟ ଆଧାରିତ ନୁହେଁ । ଦଇତାପତି ନିଯୋଗ ସମ୍ପାଦକ ନିଜେ ଗାରଦରୁ ମୋଦକ ଠାକୁରଙ୍କୁ ଲାଗି କରିବାକୁ ନେଇ ନେଇଥିଲେ । ଅଭିଯୋଗ ଆଧାରରେ ତଦନ୍ତ ହେବ ।
ସେପଟେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ରିପୋର୍ଟ ତଲବ କରିଛନ୍ତି ଆଇନମନ୍ତ୍ରୀ ପୃଥ୍ୱୀବରାଜ ହରିଚନ୍ଦନ । ଆଇନ ମନ୍ତ୍ରୀ କହିଛନ୍ତି ଚୋରୀ ଅଭିଯୋଗ ସତ ନୁହେଁ । ମୁଖ୍ୟ ପ୍ରଶାସକଙ୍କ ସହ ସେ କଥା ହୋଇଛନ୍ତି । କିଛି ଲୋକ ମିଛ ପତିଆରା ପାଇଁ ବିଭ୍ରାନ୍ତ କରୁଛନ୍ତି । କିନ୍ତୁ ଏଯାବତ୍ ନିଯୋଗ ସଭାପତି ଓ ସମ୍ପାଦକ ତରଫରୁ କୌଣସି ପ୍ରତିକ୍ରିୟା ମିଳିନାହିଁ ।