B8dbfdff 4949 46fa 8c3d c55bc558e93a 2025 06 25 17 23 19

ନୂଆଦିଲ୍ଲୀ: ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନଙ୍କୁ ୨୦୧୯ରେ ହେପାଜତକୁ ନେଇଥିବା ନେଇ ଦାବି କରିଥିବା ପାକିସ୍ତାନ ସେନାର ମେଜର ମୋଇଜ୍ ଆବାସ ଶାହଙ୍କ ମୃତ୍ୟୁ ହୋଇଛି। ପାକିସ୍ତାନର ଦକ୍ଷିଣ ୱାଜିରିସ୍ତାନ ଅଞ୍ଚଳରେ ତେହରିକ୍-ଏ-ତାଲିବାନ୍ (ଟିଟିପି) ସହିତ ଏନକାଉଣ୍ଟର ସମୟରେ ମେଜର ମୋଇଜ୍ ଆବାସ ଶାହଙ୍କ ମୃତ୍ୟୁ ହୋଇଛି।
ପାକିସ୍ତାନୀ ସେନା ଅନୁଯାୟୀ, ମେଜର ମୋଇଜ୍ ଆବାସ ଶାହଙ୍କ ନେତୃତ୍ୱରେ ପାକିସ୍ତାନୀ ସେନା ଦକ୍ଷିଣ ୱାଜିରିସ୍ତାନର ସରଗୋଧା ଅଞ୍ଚଳରେ ତେହରିକ୍-ଏ-ତାଲିବାନ୍ ପାକିସ୍ତାନ ବିରୋଧରେ ଏକ ଅପରେସନ୍ କରୁଥିଲା।
ଏହି ସମୟରେ, ପାକିସ୍ତାନୀ ସେନା ଏବଂ ତେହରିକ୍-ଏ-ତାଲିବାନ୍ ମଧ୍ୟରେ ଗୁଳି ବିନିମୟରେ ହୋଇଥିଲା। ଆତଙ୍କବାଦୀଙ୍କ ଗୁଳିରେ ପାକିସ୍ତାନୀ ସେନାର ମେଜର ମୋଇଜ୍ ଆବାସ ଶାହ ଏବଂ ଲାନ୍ସ ନାୟକ ଜିବ୍ରାନୁଲ୍ଲାଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିଲା।
ପାକିସ୍ତାନୀ ସେନା ଅନୁଯାୟୀ, ସ୍ପେଶାଲ୍ ସର୍ଭିସ୍ ଗ୍ରୁପ୍ (ଏସଏସଜି)ରେ ମେଜର ପଦବୀରେ ନିଯୁକ୍ତ ଥିବା ମୋଇଜ୍ ଆବାସ ଶାହ ପାକିସ୍ତାନର ଚକୱାଲ୍ ଜିଲ୍ଲାର ବାସିନ୍ଦା ଥିଲେ। ତାଙ୍କର ବୟସ ୩୭ ବର୍ଷ ପାଖାପାଖି ଥିବା କୁହାଯାଉଛି।
କଥା ହେଉଛି… ପାକିସ୍ତାନ ଯେଉଁ ଆତଙ୍କବାଦୀମାନଙ୍କୁ ଆଶ୍ରୟ ଦେଇଥିଲା, ତାଲିମ ଦେଇଥିଲା ଏବେ ସେମାନେ ପାକିସ୍ତାନ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛନ୍ତି। ଯାହାର ସର୍ବୋତ୍ତମ ଉଦାହରଣ ହେଉଛି ତେହେରିକ୍-ଏ-ତାଲିବାନ୍ ପାକିସ୍ତାନ।

Share