ଭୁବନେଶ୍ୱର : ରାଜ୍ୟରେ ବିଭିନ୍ନ ସ୍ଥାନରେ ବନ୍ଦର, ଜେଟି ଓ ଅନ୍ୟାନ୍ୟ ଭିତ୍ତିଭୂମି ସ୍ଥାପନ କରି ଓଡିଶାରେ ସାମୁଦ୍ରିକ ବାଣିଜ୍ୟର ବିକାଶ ଉପରେ ରାଜ୍ୟ ସରକାର ପ୍ରାଥମିକତା ଦେଉଛନ୍ତି ବୋଲି ଗୁରୁବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୋପାଳପୁର ବନ୍ଦର ଉନ୍ନତିକରଣ ଏବଂ ଜଟାଧାର ମୁହାଣରେ କ୍ୟାପ୍ଟିଭ୍ ଜେଟି ନିର୍ମାଣ ପାଇଁ ରିହାତି ଚୁକ୍ତିନାମା ସ୍ୱାକ୍ଷର ଅବସରରେ କହିଛନ୍ତି।
ସୂଚନାଯୋଗ୍ୟ ଯେ, ଜଗତସିଂହପୁର ଜିଲ୍ଲା ଏରସମା ତହସିଲ ଅନ୍ତର୍ଗତ ଜଟାଧାର ମୁହାଣଠାରେ ଏକ କ୍ୟାପ୍ଟିଭ୍ ଜେଟି ନିର୍ମାଣ ପାଇଁ ଜେ.ଏସ୍.ଡବ୍ଲୁ ଉତ୍କଳ ଷ୍ଟିଲ୍ ଲିମିଟେଡ୍ ସହିତ ରାଜ୍ୟ ସରକାରଙ୍କ ରିହାତି ଚୁକ୍ତିନାମା ସ୍ୱାକ୍ଷର ହୋଇଛି। ୫୨ ମିଲିଅନ ମେଟ୍ରିକ ଟନ୍ ପଣ୍ୟ ପରିବହନ କ୍ଷମତା ବିଶିଷ୍ଟ ଏହି ଜେଟି ସ୍ଥାପନ ନିମନ୍ତେ ପ୍ରାରମ୍ଭିକ ସ୍ତରରେ ୨,୧୦୦ କୋଟି ଟଙ୍କା ନିବେଶ କରାଯିବ ଏବଂ ଏହା ମାଧ୍ୟମରେ ୩,୪୫୦ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୃଷ୍ଟି ହେବ।
ସେହିଭଳି ୧୬,୫୫୪ କୋଟି ଟଙ୍କା ନିବେଶରେ ଗୋପାଳପୁର ବନ୍ଦରର ସଂପ୍ରସାରଣ ଓ ଉନ୍ନତିକରଣ କାର୍ଯ୍ୟ ପାଇଁ ଗୋପାଳପୁର ପୋର୍ଟ୍ସ ଲିମିଟେଡ୍ ଏବଂ ଓଡିଶା ସରକାରଙ୍କ ମଧ୍ୟରେ ରିହାତି ଚୁକ୍ତିନାମା ସ୍ୱାକ୍ଷର ହୋଇଛି। ଏହି ଉନ୍ନତିକରଣ କାର୍ଯ୍ୟ ପରେ ବନ୍ଦରର ପଣ୍ୟ ପରିବହନ କ୍ଷମତା ୫୦ ମିଲିଅନ ମେଟ୍ରିକ ଟନ ହେବ। ଏହା ମାଧ୍ୟମରେ ପ୍ରାୟ ୫ ହଜାର ଯୁବକଯୁବତୀଙ୍କ ପାଇଁ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ନିଯୁକ୍ତି ସୃଷ୍ଟି ହେବ।
ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଜେ.ଏସ୍.ଡବ୍ଲୁ ଉତ୍କଳ ଷ୍ଟିଲ ଲିମିଟେଡର ପ୍ରେସିଡେଣ୍ଟ ଶ୍ରୀ ଅନିଲ କୁମାର ସିଂ ଏବଂ ଗୋପାଳପୁର ପୋର୍ଟ୍ସ ଲିମିଟେଡର ବିଜନେସ ହେଡ ଶ୍ରୀ ସନ୍ଦିପ ଜୟସ୍ୱାଲ ଏବଂ ଓଡିଶା ସରକାରଙ୍କ ପକ୍ଷରୁ ବନ୍ଦର ନିର୍ଦ୍ଦେଶକ ଶ୍ରୀ ପଦ୍ମଲୋଚନ ରାଉଳଙ୍କ ମଧ୍ୟରେ ଏହି ରିହାତି ଚୁକ୍ତିନାମା ସ୍ୱାକ୍ଷର ହୋଇଥିଲା।
ଲୋକସେବା ଭବନଠାରେ ଆୟୋଜିତ ଏହି ଚୁକ୍ତିନାମା ସ୍ୱାକ୍ଷର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟରେ ସାମୁଦ୍ରିକ ବାଣିଜ୍ୟର ବିକାଶ ପାଇଁ ବିଭିନ୍ନ ଘରୋଇ କମ୍ପାନୀ ସହିତ ସହଭାଗୀତା ଭିତ୍ତିରେ କାର୍ଯ୍ୟ କରାଯିବାର ଲକ୍ଷ୍ୟ ରଖାଯାଇଛି। ଆଗାମୀ ଦିନରେ ଇଞ୍ଚୁଡି ଓ ବାହୁଡାଠାରେ ଦୁଇଟି ନୂଆ ବନ୍ଦର ପ୍ରତିଷ୍ଠାର ଲକ୍ଷ୍ୟ ରଖାଯାଇଥିବା ବେଳେ ସୁବର୍ଣ୍ଣରେଖା ଓ ଅସ୍ତରଙ୍ଗ ବନ୍ଦରର ବିକାଶ ପାଇଁ ମଧ୍ୟ ଯୋଜନା ରହିଛି।
ଗୋପାଳପୁର ବନ୍ଦର ଲିମିଟେଡ୍ ଏବଂ ଜେ.ଏସ୍.ଡବ୍ଲୁ ଷ୍ଟିଲର ଉଭୟ ବନ୍ଦର ବିକାଶ ଓ ଇସ୍ପାତ ଉତ୍ପାଦନ କ୍ଷେତ୍ରରେ ସମଗ୍ର ବିଶ୍ୱରେ ଖ୍ୟାତି ରହିଛି। ଏହି ଦୁଇଟି କମ୍ପାନୀ ଆମର ବନ୍ଦର ଭିତ୍ତିକ ବିକାଶ କ୍ଷେତ୍ରରେ ଏକ ନୂଆ ଯୁଗ ସୃଷ୍ଟି କରିବେ ଏବଂ ଏହି ଦୁଇଟି ପ୍ରକଳ୍ପ ମାଧ୍ୟମରେ ରାଜ୍ୟରେ ୮,୪୫୦ ନିଯୁକ୍ତି ସୃଷ୍ଟି ହେବ।
ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀ ବିଭୁତି ଭୂଷଣ ଜେନା ଏହି ଅବସରରେ କହିଛନ୍ତି, ଓଡିଶାର ସାମଗ୍ରିକ ବିକାଶରେ ବନ୍ଦର ଓ ଜେଟି ଉନ୍ନତିକରଣର ଏକ ପ୍ରମୁଖ ଭୂମିକା ରହିଛି। ଓଡିଶାର ସୁଦୀର୍ଘ ଉପକୂଳରେ ଅନେକ ସମ୍ଭାବିତ ସ୍ଥାନକୁ ନିରୂପିତ କରାଯାଇ ସେଠାରେ ଅଣ-ବୃହତ୍ତ ବନ୍ଦର, ଜେଟି, ମତ୍ସ୍ୟ ପୋତାଶ୍ରୟ ତଥା ଉପକୂଳ ପରିବହନ ଓ ଭିତ୍ତିଭୂମିର ବିକାଶ କରିବା ଆମ ସରକାରଙ୍କ ପ୍ରାଥମିକ ଲକ୍ଷ୍ୟ ଅଟେ।
ଏହି କାର୍ଯ୍ୟକ୍ରମରେ ମତ୍ସ୍ୟ ଓ ପ୍ରାଣି ସମ୍ପଦ ବିକାଶ ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ, ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା, ଉନ୍ନୟନ କମିଶନର ଅନୁ ଗର୍ଗ, ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା ଏବଂ ଜେ.ଏସ୍.ଡବ୍ଲୁ ଉତ୍କଳ ଷ୍ଟିଲ ଓ ଗୋପାଳପୁର ପୋର୍ଟ୍ସ ଲିମିଟେଡର ଅଧିକାରୀମାନ ଉପସ୍ଥିତ ଥିଲେ। ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ଉଷା ପାଢୀ କାର୍ଯ୍ୟକ୍ରମରେ ସମସ୍ତଙ୍କୁ ସ୍ୱାଗତ କରିଥିଲେ ଏବଂ ଅତିରିକ୍ତ ସଚିବ ଶ୍ରୀ ବିଧାନ ରାୟ ଧନ୍ୟବାଦ ଅର୍ପଣ କରିଥିଲେ।
