ଦିଗପହଣ୍ଡି; ଆଜି ଆଉ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ଦିଗପହଣ୍ଡି ବସ୍‌ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି ପାଇଛି। କଟକ ଏସ୍‌ସିବିରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ଲଳିତା ପ୍ରଧାନଙ୍କର ମୃତ୍ୟୁ ଘଟିଛି। ଗତ ୨୫ ତାରିଖ ବିଳମ୍ୱିତ ରାତିରେ ଘଟିଥିଲା ଏହି ଛାତିଥରା ଦୁର୍ଘଟଣା।

ବାହାଘର ଭୋଜି ଖାଇ ବ୍ରହ୍ମପୁରରୁ ଖଣ୍ଡଦେଉଳି ଗାଁକୁ ମିନିବସ୍‌ରେ ଫେରୁଥିଲେ ଝିଅଘର ଲୋକ। ରାତି ପ୍ରାୟ ଗୋଟାଏ ବେଳେ ରାୟଗଡାରୁ ଭୁବନେଶ୍ୱର ଅଭିମୁଖେ ଆସୁଥିବା ଓଏସ୍‌ଆର୍‌ଟିସି ବସ୍‌ ଦ୍ରୁତ ଗତିରେ ଆସି ମିନିବସ୍‌କୁ ଧକ୍କା ଦେଇଥିଲା। ଯାହାଫଳରେ ବସ୍‌ଟି ଓଲଟି ପଡ଼ିଥିଲା। ବସ୍‌ ଭିତରେ ଚାପି ହୋଇ ୧୧ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଥିଲେ। ସମସ୍ତଙ୍କୁ ଉଦ୍ଧାର କରାଯାଇ ଦିଗପହଣ୍ଡି ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ଏମ୍‌କେସିଜି ମେଡ଼ିକାଲ୍‌ କଲେଜ ଆଣ୍ଡ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ତେବେ ଲଳିତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ଏସ୍‌ସିବିକୁ ସ୍ଥାନାନ୍ତରିତ କରାଯାଇଥିଲା। ତାଙ୍କୁ ଆଇସିୟୁରେ ରଖାଯାଇଥିଲା। ସତ ଚେଷ୍ଟା ସତ୍ତ୍ୱେ ଲଳିତାଙ୍କ ଜୀବନ ବଞ୍ଚାଇ ପାରିନଥିଲେ ଡାକ୍ତର। ଆଜି ତାଙ୍କର ମୃତ୍ୟୁ ଘଟିଛି। ଲଳିତାଙ୍କୁ ମିଶା ମୃତ୍ୟୁ ସଂଖ୍ୟା ୧୨ରେ ପହଞ୍ଚିଛି।

Share