Ni4gdhfg mumbaihowrah train accident 625x300 30 july 24

ନୂଆଦିଲ୍ଲୀ : ଦେଶରେ ରେଳ ଦୁର୍ଘଟଣା ଯୋଗୁ ଗୋଟିଏ ବର୍ଷରେ ୨୧ ହଜାରରୁ ଅଧିକ ଲୋକଙ୍କ ଜୀବନ ଯାଇଛି। ୨୦୨୩ ବର୍ଷରେ ଦେଶରେ ମୋଟ ୨୪,୬୭୮ଟି ରେଳ ଜନିତ ଦୁର୍ଘଟଣା ଘଟିଥିଲା। ଆଉ ଏଥିରେ ୨୧,୮୦୩ ଜଣଙ୍କ ମୃତ୍ୟୁ ହୋଇଛି। ମହାରାଷ୍ଟ୍ର ଓ ଉତ୍ତର ପ୍ରଦେଶରେ ସବୁଠାରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି। ୨୦୨୩ରେ ଓଡ଼ିଶାର ବାହାନଗା(Bahanaga Train Accident)ରେ ମଧ୍ୟ ଭୟଙ୍କର ରେଳ ଦୁର୍ଘଟଣା ଘଟିଥିଲା। ଏହି ଦୁର୍ଘଟଣା(Odisha Train Accident)ରେ ୨୯୬ ଜଣଙ୍କ ଜୀବନ ଯାଇଥିଲା।
ଏହି ସବୁ ତଥ୍ୟକୁ ଆଧାର କରି ନ୍ୟାଶନାଲ କ୍ରାଇମ ରେକର୍ଡସ ବ୍ୟୁରୋ ବା ଏନସିଆରବି (Ncrb), ତା’ର ରିପୋର୍ଟ ପ୍ରକାଶ କରିଛି। ରିପୋର୍ଟରେ କୁହାଯାଇଛି ଯେ ୨୦୨୩ରେ ଟ୍ରେନ ଡ୍ରାଇଭରଙ୍କ ତ୍ରୁଟି ଯୋଗୁ ୫୬ଟି, ମେକାନିକାଲ ତ୍ରୁଟି ଯଥା ଦୁର୍ବଳ ଡିଜାଇନ, ଟ୍ରାକରେ ତ୍ରୁଟି, ବ୍ରିଜ କିମ୍ବା ଟନେଲ ଭୁଶୁଡ଼ିବା ଯୋଗୁ ୪୬ଟି ରେଳ ଦୁର୍ଘଟଣା ଘଟିଛି।
ରେଳ ଦୁର୍ଘଟଣାର ତଥ୍ୟକୁ ବିଶ୍ଲେଷଣ କରିବା ପରେ ସ୍ପଷ୍ଟ ହୋଇଛି ଯେ ଟ୍ରେନରୁ ଖସି ପଡ଼ିବା କିମ୍ବା ଟ୍ରାକରେ ଲୋକଙ୍କୁ ଧକ୍କା ଦେବା ଭଳି ଦୁର୍ଘଟଣା ସଂଖ୍ୟା ସବୁଠାରୁ ଅଧିକ। ମୋଟ ଦୁର୍ଘଟଣାର ୭୪.୯% ଏହି ବର୍ଗରେ ଆସୁଛି। ମୋଟ ୨୪,୬୭୮ଟି ରେଳ ଦୁର୍ଘଟଣାରୁ ୧୮,୪୮୦ଟି ହେଉଛି ଟ୍ରେନରୁ ଖସିବା କିମ୍ବା ରେଳ ଟ୍ରାକରେ ଧକ୍କା ଦେବା ଭଳି ଦୁର୍ଘଟଣା। ଏଭଳି ଦୁର୍ଘଟଣାରେ ୧୫,୮୭୮ ଜଣ ଲୋକଙ୍କ ମୃତ୍ୟୁ ହୋଇଛି। ଏହା ମୋଟ ରେଳ ଦୁର୍ଘଟଣାଜନିତ ମୃତ୍ୟୁର ୭୨.୮% ବୋଲି ଏନସିବି ରିପୋର୍ଟରେ କୁହାଯାଇଛି।
ମହାରାଷ୍ଟ୍ରରେ ଏପରି ଦୁର୍ଘଟଣା ସବୁଠାରୁ ଅଧିକ ଦେଖିବାକୁ ମିଳିଛି। ଏଠାରେ ୨୯.୯% ଅର୍ଥାତ ୫୫୦୭ଟି ଟ୍ରେନରୁ ଖସି ପଡ଼ିବା କିମ୍ବା ଟ୍ରାକରେ ଲୋକଙ୍କୁ ଧକ୍କା ଦେବା ଭଳି ଦୁଘର୍ଟଣା ରେକର୍ଡ କରାଯାଇଛି।
ଅନ୍ୟପକ୍ଷରେ ୨୦୨୩ରେ ୨୪, ୬୭୮ଟି ରେଳ ଦୁର୍ଘଟଣା ରେକର୍ଡ ହେବା ଅର୍ଥ ୨୦୨୨ ତୁଳନାରେ ଏହା ୬.୭% ଅଧିକ। ୨୦୨୨ରେ ମୋଟ ୨୩,୧୩୯ଟି ରେଳ ଦୁର୍ଘଟଣା ଘଟିଥିଲା। ହେଲେ ୨୦୨୩ରେ ଦୁର୍ଘଟଣା ସଂଖ୍ୟା ବଢ଼ିଛି। ଏଥିରେ ୩୦୧୪ ଜଣଙ୍କ ଆହତ ହୋଇଥିବା ବେଳେ ୨୧,୮୦୩ ଜଣଙ୍କ ଜୀବନ ଯାଇଛି ବୋଲି ଏନସିଆରବି କହିଛି।
ସର୍ବାଧିକ ରେଳବାଇ କ୍ରସିଂ ଦୁର୍ଘଟଣା ଉତ୍ତର ପ୍ରଦେଶରେ ଘଟିଛି। ମୋଟ ୨୪୮୩ଟି ରେଳ କ୍ରସିଂ ଦୁର୍ଘଟଣା ମଧ୍ୟରୁ ଉତ୍ତର ପ୍ରଦେଶରେ ୪୧.୩% ବା ୧୦୨୫ଟି ଘଟଣା ଘଟିଛି। ୮୦୫ଟି ମାମଲା ସହ ଦ୍ୱିତୀୟରେ ପଶ୍ଚିମବଙ୍ଗ ଓ ୩୭୫ଟି ଦୁର୍ଘଟଣା ସହ ତୃତୀୟ ସ୍ଥାନରେ ମଧ୍ୟପ୍ରଦେଶ ରହିଛି।

Share