Mixcollage 16 oct 2025 10 59 am 6076

ଭୁବନେଶ୍ବର: ଆଜି ବର୍ତ୍ତମାନର ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ । ୭୯ ବର୍ଷରେ ପାଦ ଥାପିଛନ୍ତି ନବୀନ। ସ୍ବର୍ଗତ ବରପୁତ୍ର ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ସୁପୁତ୍ର ନବୀନ ରାଜ୍ୟ ଇତିହାସର ଏକ ଅନନ୍ୟ ଛବି। ନବୀନଙ୍କ ଜନ୍ମଦିନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଭିନନ୍ଦନ ଜଣାଇଛନ୍ତି।

ସେ ସୋସିଆଲ ମିଡିଆ ଏକ୍ସରେ କହିଛନ୍ତି, ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଜନ୍ମଦିନର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ଆପଣଙ୍କର ଉତ୍ତମ ସ୍ୱାସ୍ଥ୍ୟ, ଦୀର୍ଘ ଏବଂ ସୁଖମୟ ଜୀବନ କାମନା କରୁଛି। ଏହାସହ ନବୀନ ପଟ୍ଟନାୟକଙ୍କୁ ଫୋନ୍ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ଦୀର୍ଘ ନିରାମୟ ଜୀବନ ପାଇଁ ମହାପ୍ରଭୁଙ୍କ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି।

ତାଙ୍କ ଜନ୍ମଦିନରେ ବିଭିନ୍ନ ମହଲରୁ ଶୁଭେଚ୍ଛା ଓ ଅଭିନନ୍ଦନର ସୁଅ ଛୁଟିଛି। ଉପମୁଖ୍ୟମନ୍ତ୍ରୀ କେ ଭି ସିଂହ ଦେଓ ଏବଂ ପ୍ରଭାତୀ ପରିଡା ମଧ୍ୟ ତାଙ୍କୁ ତାଙ୍କ ଜନ୍ମଦିନରେ ଶୁଭେଚ୍ଛା ଜଣାଇଥିଲେ। ସେହିପରି ଆନ୍ତର୍ଜାତୀୟ ସ୍ତରରେ ପ୍ରଶଂସିତ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ମଧ୍ୟ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କ ଜନ୍ମଦିନରେ ଶୁଭେଚ୍ଛା ଜଣାଇବା ପାଇଁ ପୁରୀ ବେଳାଭୂମିରେ ଏକ ବାଲୁକା ନିର୍ମାଣ କରି ଶୁଭେଚ୍ଛା ଜଣାଇଛନ୍ତି।

ଏଥର ବିରୋଧୀ ଦଳ ନେତା ତାଙ୍କ ଜନ୍ମଦିନକୁ ଭିନ୍ନ ଢଙ୍ଗରେ ପାଳନ କରୁଛନ୍ତି। ପ୍ରାୟ ୬ ମାସର ବ୍ୟବଧାନ ପରେ, ସେ ଏକ ସାର୍ବଜନୀନ କାର୍ଯ୍ୟକ୍ରମରେ ଯୋଗଦେବେ। ସେ ଏକାମ୍ର ଭୁବନେଶ୍ୱର ନିର୍ବାଚନମଣ୍ଡଳୀରେ ଦଳର ପଦଯାତ୍ରାରେ ଯୋଗଦେବେ ଏବଂ ଦଳୀୟ କର୍ମୀମାନଙ୍କୁ ଉତ୍ସାହିତ କରିବେ। ଭୁବନେଶ୍ଵର ଗଙ୍ଗନଗର ୱାର୍ଡ ନମ୍ବର ୫୨ ରେ ନବୀନ ଜନସମ୍ପର୍କ ପଦଯାତ୍ରା କରିବେ । ଏହି ଅବସରରେ ଦଳର କର୍ମୀମାନେ ନବୀନଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବେ। ଏନେଇ ଭୁବନେଶ୍ଵର ଜିଲ୍ଲା ବିଜେଡ଼ି ପକ୍ଷରୁ ପ୍ରସ୍ତୁତି କରାଯାଇଛି। ଏହାସହ ଏସଓଏସ ଭିଲେଜ ଯାଇ ମିଷ୍ଟାନ୍ନ ବଣ୍ଟନ କରିବେ ନବୀନ ବୋଲି ବିଜେଡି ଜିଲ୍ଲା ସଭାପତି ଅଶୋକ ଚନ୍ଦ୍ର ପଣ୍ଡା ସୂଚନା ପ୍ରଦାନ କରିଛନ୍ତି।

Share