ଉପରୋକ୍ତ ପ୍ରକ୍ରିୟା ତିନି ମାସ ଭିତରେ ସଂପୂର୍ଣ୍ଣ କରାଯିବ। ଜଷ୍ଟିସ୍ ଦୀକ୍ଷିତ କ୍ରିଷ୍ଣା ଶ୍ରୀପଦଙ୍କୁ ନେଇ ଗଠିତ ଖଣ୍ଡପୀଠ ଫିରୋଜ କୁମାର ମହାପାତ୍ର, ରାକେଶ କୁମାର ବାରିକ ଓ ଅନ୍ୟମାନଙ୍କ ତରଫରୁ ଦାୟର ଆବେଦନ ଗୁଡ଼ିକର ଏକତ୍ର ଶୁଣାଣି କରି ଏପରି ରାୟ ପ୍ରଦାନ କରିଛନ୍ତି।
ମାମଲାର ବିବରଣୀରୁ ପ୍ରକାଶ ଯେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନ ସରକାରୀ ମାଧ୍ୟମିକ ସ୍କୁଲରେ ହିନ୍ଦୀ ସହିତ ଅନ୍ୟ ବିଭାଗରେ ଶିକ୍ଷକ ନିଯୁକ୍ତି ପାଇଁ ଷ୍ଟାଫ୍ ସିଲେକ୍ସନ କମିସନ ପକ୍ଷରୁ ୨୦୨୪, ଅକ୍ଟୋବର ୨୨ରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଯଦି ପ୍ରାର୍ଥୀଙ୍କ ସଂଖ୍ୟା ପୂରଣ ହେବାକୁ ଥିବା ପଦବି ସଂଖ୍ୟାର ୫ଗୁଣ ବା ତା’ଠାରୁ ଅଧିକ ହୁଏ ତେବେ ପ୍ରଥମେ ପ୍ରିଲିମିନାରି ପରୀକ୍ଷା କରାଯିବ ବୋଲି ନିଯୁକ୍ତି ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଥିଲା।

