ମହାମେଣ୍ଟର ଅନ୍ୟତମ ଅଂଶୀଦାର ଦଳ ସିପିଆଇ (ଏମଏଲ୍) ନେତା ଦୀପଙ୍କର ଭଟ୍ଟାଚାର୍ଯ୍ୟ କହିଛନ୍ତି ଯେ ଆସନ ବୁଝାମଣା ବିଳମ୍ବ ସତ୍ତ୍ବେ ମେଣ୍ଟରେ କୌଣସି ପ୍ରକାର ଅନ୍ତଃକନ୍ଦଳ ନାହିଁ। ସେ କହିଛନ୍ତି ଯେ ୨୦୨୦ ନିର୍ବାଚନ ଅପେକ୍ଷା ଚଳିତ ନିର୍ବାଚନରେ ମହାମେଣ୍ଟରେ ଅଂଶୀଦାର ଦଳ ସଂଖ୍ୟା ବୃଦ୍ଧି ପାଇଛି। ତେଣୁ ମେଣ୍ଟର ସମସ୍ତ ଅଂଶୀଦାରଙ୍କ ସହିତ ଆଲୋଚନା କରାଯାଇ ଆସନ ବୁଝାମଣା କରାଯିବ। ମହାମେଣ୍ଟ ଏହି ନିର୍ବାଚନରେ ନିଶ୍ଚିତ ରୂପେ ଏକଜୁଟ୍ ହୋଇ ଲଢିବ। ମହାମେଣ୍ଟରେ ଆସନ ବୁଝାମଣା ହୋଇପାରି ନଥିବାବେଳେ ଏନଡିଏ ଏହାର ନିର୍ବାଚନ ପ୍ରଚାର ଜୋରଦାର କରିଛି।
ଅପରପକ୍ଷରେ ବିହାର ବିଧାନସଭା ନିର୍ବାଚନ ପାଇଁ ବିରୋଧୀ ମହାମେଣ୍ଟରେ ଆସନ ବୁଝାମଣା ଚୂଡାନ୍ତ ହୋଇପାରି ନଥିବାବେଳେ ଆରଜେଡି ନେତା ତେଜସ୍ବୀ ଯାଦବଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରାଯାଇଛି। ଶୁକ୍ରବାର କଂଗ୍ରେସ ଦଳ ତେଜସ୍ବୀଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିଛି। ଦଳରେ ଅନେକ ନେତା ଏଥିରେ ମୋହର ମାରିଛନ୍ତି। କଂଗ୍ରେସ ନେତା ତଥା ଛତିଶଗଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ କହିଛନ୍ତି ଯେ ତେଜସ୍ବୀଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରାଯିବାରେ କୌଣସି ସମସ୍ୟା ନାହିଁ। ସେହିପରି ମହାମେଣ୍ଟରେ ଆସନ ବୁଝାମଣାକୁ ନେଇ କୌଣସି ସମସ୍ୟା ନାହିଁ। ଠିକ୍ ସମୟରେ ସବୁ ସମାଧାନ ହୋଇଯିବ। କଂଗ୍ରେସ ସାଂସଦ ଅଖିଳେଶ ପ୍ରସାଦ ସିଂହ ଓ ତାରିକ ଅନୱର ତେଜସ୍ବୀଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରାଯିବାକୁ ସମର୍ଥନ କରିଛନ୍ତି। ତାରିକ ଅନୱର କହିଛନ୍ତି ଯେ ତେଜସ୍ବୀଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରାଗଲେ କୌଣସି ସମସ୍ୟା ନାହିଁ। ତେବେ ପୂର୍ବରୁ ତେଜସ୍ବୀ ନିଜକୁ ମହାମେଣ୍ଟର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିଥିବାବେଳେ କଂଗ୍ରେସ ଏହାକୁ ନାପସନ୍ଦ କରିଥିଲା। କଂଗ୍ରେସ କହିଥିଲା ଯେ ମହାମେଣ୍ଟର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ହେବେ ତାହା ମିଳିତ ଭାବେ ନିଷ୍ପତ୍ତି ନିଆଯିବ।

