Screenshot 2025 11 22 104709 750x430

ଭୁବନେଶ୍ବର: ସ୍ୱାସ୍ଥ୍ୟ ସେବାରେ ଆସିବ ପରିବର୍ତ୍ତନ। ରାଜ୍ୟରେ ରୋଗୀ ପରିବହନ ବ୍ୟବସ୍ଥା ସୁଧୁରିବ। ପୁରୁଣା ହୋଇଯାଇଥିବା ଆମ୍ବୁଲାନ୍‌ସକୁ ବଦଳାଇ ୪୨୮ଟି ନୂଆ ଆମ୍ବୁଲାନ୍ସ ପାଇଁ ସରକାର ଟେଣ୍ଡର କରିଥିଲେ। ଏହି କ୍ରମରେ ଚଳିତ ମାସ ଶେଷ ସୁଦ୍ଧା ଯୋଡି ହେବ ଆଉ ୧୦୦ଟି ନୂଆ ୧୦୮ ଆମ୍ବୁଲାନ୍ସ। ଚଳିତ ମାସ ୨୫ ତାରିଖରୁ ଓଡ଼ିଶାକୁ ପର୍ଯ୍ୟାୟକ୍ରମେ ନୂଆ ୧୦୮ ଆମ୍ବୁଲାନ୍ସ ଆସିବା ପ୍ରକ୍ରିୟା ଆରମ୍ଭ ହେବ। ‌ପ୍ରଥମ ପର୍ଯ୍ୟାୟରେ ୧୦୦ଟି ଆମ୍ବୁଲାନ୍‌ସ ସଂସ୍ଥା ପ୍ରଦାନ କରିବ।

ରାଜ୍ୟରେ ଗଡ଼ୁଥିବା ଅଧିକାଂଶ ୧୦୮ ଆମ୍ବୁଲାନ୍‌ସ ପୁରୁଣା ହୋଇସାରିଛି। ପୁରୁଣା ହୋଇଯାଇଥିବା ଆମ୍ବୁଲାନ୍ସକୁ ହଟାଇବା ପାଇଁ ଦୀର୍ଘଦିନରୁ ସରକାରୀ ସ୍ତରରେ ଆଲୋଚନା ଚାଲିଥି‌ଲା। ଗତ କ୍ୟାବିନେଟ୍‌ ବୈଠକରେ ୪୨୮ଟି ଆମ୍ବୁଲାନ୍‌ସ କିଣାକୁ ମଞ୍ଜୁରି ମିଳିଥିଲା। ଏଥିରେ ୪୨୧ଟି ୧୦୮ ଆମ୍ବୁଲାନ୍ସ, ପରିବହନ ବିଭାଗର ୫ଟି ଏଏଲ୍‌ଏସ୍‌ ଓ ଝାରସୁଗୁଡ଼ା କାର୍ଡିଆକ୍‌ ହସ୍‌ପିଟାଲ ପାଇଁ ୨ଟି ଏଏଲ୍‌ଏସ୍‌ ଆମ୍ବୁଲାନ୍ସ ରହିଛି। ଏସବୁ ପାଇଁ ୧୧୯ କୋଟି ଟଙ୍କା ରାଜ୍ୟ ସରକାର ଖର୍ଚ୍ଚ କରିବେ।

ମିଳିଥିବା ସୂଚନା ଅନୁସାରେ, ଫୋର୍ସ ମୋଟର୍ସ ଏହି ଆମ୍ବୁଲାନ୍‌ସ ଯୋଗାଇବ। ଆବଶ୍ୟକ କାର୍ଯ୍ୟ ଶେଷ ହେବା ପରେ ଆସନ୍ତା ଡିସେମ୍ବର କିମ୍ବା ଜାନୁଆରି ବେଳକୁ ଯେଉଁ ଯେଉଁ ଜିଲ୍ଲାରେ ଆମ୍ବୁଲାନ୍‌ସର ଆବଶ୍ୟକତା ରହିଛି ସେଠାକୁ ପଠାଯିବ। ନୂଆ ଆମ୍ବୁଲାନ୍ସ ଆସିବା ପରେ ୧୦୮ ଆମ୍ବୁଲାନ୍‌ସ ପରିଚାଳନା କରୁଥିବା ଏମ୍ରି ଗ୍ରିନ୍‌ର ନିଜସ୍ବ ୬୨ଟି ବ୍ୟାକ୍‌ଅପ୍‌ ଆମ୍ବୁଲାନ୍ସକୁ ହଟାଇ ନିଆଯିବ।

Share