ଓଲଟିଲା ଯାତ୍ରୀବାହୀ ବସ୍‌। ଜଣେ ଶିଶୁ ସମେତ ୧୪ ଗୁରୁତର। ଆଜି ଅପରାହ୍ନ ପ୍ରାୟ ୫ଟା ବେଳେ ଯାଜପୁର ଜିଲ୍ଲା ପାଣିକୋଇଲି-ଜହ୍ନା ରାସ୍ତାର ଜହ୍ନା ଛକରେ ଏହି ଦୁର୍ଘଟଣା ଘଟିଛି। ଦୃତଗତିରେ ଆସୁଥିବା ବେଳେ ଭାରସାମ୍ୟ ହରାଇ ଯାତ୍ରୀବାହୀ ବସ୍‌ଟି ଓଲଟି ପଡ଼ିଥିବା ପ୍ରତ୍ୟେକ୍ଷଦର୍ଶୀମାନେ କହିଛନ୍ତି।

ଏହି ବସ୍‌ ପାଣିକୋଇଲିରୁ ଯାଜପୁରରୋଡ ଦେଇ କଂରଞ୍ଜିଆ ଯାଉଥିଲା। ବସ୍‌ରେ ପ୍ରାୟ ୪୦ ଜଣ ଯାତ୍ରୀ ଥିଲେ। ରାସ୍ତା କଡ଼କୁ ବସ୍‌ଟି ଖସି ପଡ଼ିବା ପରେ ସ୍ଥାନୀୟ ଲୋକେ ଏହା ଭିତରୁ ଯାତ୍ରୀଙ୍କୁ ଉଦ୍ଧାର କରିବାକୁ ଏକଜୁଟ ହୋଇଥିଲେ। ସେପଟେ ଖବର ପାଇ କଳିଙ୍ଗନଗର ଏଡିଏମ୍‌ ଓ ସ୍ଥାନୀୟ ପୁଲିସ ପହଞ୍ଚି ଲୋକଙ୍କୁ ଯାଜପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇ ଚିକିତ୍ସା ବ୍ୟବସ୍ଥା କରିଥିଲା। ତେବେ ଆହତ ଯାତ୍ରୀମାନଙ୍କ ମଧ୍ୟରୁ ୧୪ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା।

ଏହି ରାସ୍ତା ନୂଆ କରି ନିର୍ମାଣ ହୋଇଥିଲେ ହେଁ ଅଣଓସାରିଆ ହେବା ସାଙ୍ଗକୁ ରାସ୍ତା ମଝିରେ କଂକ୍ରିଟ ଡିଭାଇଡର କରାଯିବା ଦୁର୍ଘଟଣାର କାରଣ ହୋଇଥିବା ଅଭିଯୋଗ ହୋଇଛି। ପୁଲିସ ଦୁର୍ଘଟଣାଗ୍ରସ୍ତ ବସ୍‌କୁ ରାସ୍ତା ପାର୍ଶ୍ୱରୁ ଉଦ୍ଧାର କରି ଘଟଣାର ତଦନ୍ତ କରୁଛି। ଦୁର୍ଘଟଣା ପରେ ଲୋକଙ୍କ ଭିଡ଼ ଜମିବାରୁ କିଛି ଘଣ୍ଟା ପାଇଁ ଏହି ରାସ୍ତା ଦେଇ ଯାତାୟତ ମଧ୍ୟ ପ୍ରଭାବିତ ହୋଇଥିଲା। ପୁଲିସ ଟିମ୍ ଭିଡ଼ ନିୟନ୍ତ୍ରଣ କରିବାକୁ ପଦକ୍ଷେପ ନେଇଛି।

Share