ରାଉରକେଲା: ରାଉରକେଲାରେ ଘରୋଇ ବିମାନ ଦୁର୍ଘଟଣାରେ ଗୁରୁତର ହୋଇଥିବା ଦୁଇ ଯାତ୍ରୀ ସ୍ବାମୀ-ସ୍ତ୍ରୀଙ୍କୁ ଅଧିକ ଚିକିତ୍ସା ପାଇଁ ମୁମ୍ବାଇକୁ ଏୟାରଲିଫ୍ଟ କରାଯାଇଛି। ସେମାନେ ହେଲେ ସୁନିଲ୍ ଅଗ୍ରଓ୍ବାଲ ଏବଂ ପତ୍ନୀ ସବିତା ଅଗ୍ରଓ୍ବାଲ । ବିମାନ ଦୁର୍ଘଟଣାରେ ସ୍ୱାମୀ-ସ୍ତ୍ରୀ ସମେତ ୬ ଜଣ ଗୁରୁତର ଥିଲେ । ବାକି ଅନ୍ୟ ୪ ଜଣଙ୍କୁ ରାଉରକେଲା ସ୍ଥିତ ଆଇଜିଏଚ୍ ମେଡିକାଲରେ ଚିକିତ୍ସା ଜାରି ରହିଛି । ସେମାନଙ୍କ ଚିକିତ୍ସା ପାଇଁ ଦୁଇଜଣ ବରିଷ୍ଠ ଡାକ୍ତଙ୍କୁ ରାଉରକେଲା ପଠା ଯାଇଛି ।
ସେପଟେ, ରାଉରକେଲା ବିମାନ ଦୁର୍ଘଟଣାର ତଦନ୍ତ ଆରମ୍ଭ ହୋଇଛି । ଏଥିପାଇଁ ଡିଜିସିଆଇର ୫ ଜଣିଆ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ବାଣିଜ୍ୟ ଓ ପରିବହନ ବିଭାଗ ତ୍ୱରିତ ପଦକ୍ଷେପ ନେଇଛନ୍ତି । କେନ୍ଦ୍ର ସରକାର, ଜିଲ୍ଲା ପ୍ରଶାସନ ଓ ସମ୍ପର୍କିତ ବିମାନ କମ୍ପାନୀ ସହ ସମନ୍ୱୟରେ ବିଭାଗ ଏହି ପଦକ୍ଷେପ ନେଇଛି । ରାଉରକେଲା ବିମାନ ଦୁର୍ଘଟଣାରେ ଆହତ ହୋଇଥିବା ଲୋକଙ୍କ ଯଥାଶୀଘ୍ର ଚିକିତ୍ସା ପାଇଁ ଅନୁସନ୍ଧାନକାରୀ ଟିମ୍ ଓ ବିଶେଷଜ୍ଞ ଡାକ୍ତରମାନଙ୍କୁ ରାଉରକେଲା ପହଞ୍ଚାଇବା ପାଇଁ ରାଜ୍ୟ ସରକାର ବ୍ୟାପକ ଲଜିଷ୍ଟିକ୍ ସହାୟତା ଯୋଗାଇଛନ୍ତି ।

