କଟକ: ଏଣିକି ସରପଞ୍ଚ ହେଲେ ଓଡ଼ିଆ ଲେଖି ପଢ଼ି ଜାଣିବା ନିହାତି ଆବଶ୍ୟକ । ଏନେଇ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି ହାଇକୋର୍ଟ । କୋର୍ଟ କହିଛନ୍ତି ଯେ, ଗ୍ରାମ ପଞ୍ଚାୟତରେ ସରପଞ୍ଚ ଏକ ସର୍ବୋଚ୍ଚ ତଥା ଗୁରୁତ୍ୱପୂର୍ଣ୍ଣ ପଦବି । ସରପଞ୍ଚଙ୍କୁ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡ଼େ । ଜଣେ ସରପଞ୍ଚ ଗ୍ରାମ ପଞ୍ଚାୟତର ମୁଖ୍ୟ ଭାବରେ ସନ୍ତୋଷଜନକ ଭାବେ କାର୍ଯ୍ୟ ତୁଲାଇବାକୁ ହେଲେ ଓଡ଼ିଆ ପଢ଼ିବା ଓ ଲେଖିବା ଦକ୍ଷତା ଅତ୍ୟନ୍ତ ଜରୁରୀ ।
ସରପଞ୍ଚ ଶେଖ ଆବୁତେହେରଙ୍କ ପକ୍ଷରୁ ଆଗତ ମାମଲାକୁ ଖାରଜ କରିବା ଅବସରରେ ହାଇକୋର୍ଟର ବିଚାରପତି ଜଷ୍ଟିସ୍ ରାଧାକୃଷ୍ଣ ପଟ୍ଟନାୟକ ଏହି ଆଦେଶ ଦେବା ସହ ନିମ୍ନ ଅଦାଲତଙ୍କ ଆଦେଶ କାଏମ୍ ରଖିଛନ୍ତି ।
୨୦୨୨ ମସିହାରେ ପୁରୀ ନିମାପଡ଼ା ଅଞ୍ଚଳର ସୁହାଗପୁର ଗ୍ରାମ ପଞ୍ଚାୟତର ସରପଞ୍ଚ ଭାବେ ଶେଖ ଆବୁତେହେରା ନିର୍ବାଚିତ ହୋଇଥିଲେ। ନିର୍ବାଚନ ପରେ ସେ ସରପଞ୍ଚ ଭାବେ କାର୍ଯ୍ୟଭାର ଗ୍ରହଣ କରିଥିଲେ । ନିର୍ବାଚନରେ ପରାଜିତ ପ୍ରାର୍ଥୀ ଶାନ୍ତିଲତା ମିଶ୍ର ସିଭିଲ ଜଜ୍ (ଜୁନିୟର ଡିଭିଜନ୍), ନିମାପଡ଼ାଙ୍କ ନିକଟରେ ଏକ ନିର୍ବାଚନ ମାମଲା ରୁଜୁ କରିଥିଲେ। ସେ ଅଭିଯୋଗ କରିଥିଲେ ଯେ ଓଡ଼ିଶା ଗ୍ରାମ ପଞ୍ଚାୟତ ଅଧିନିୟମ, ୧୯୬୪ର ଧାରା ୧୧(ବି) ଅନୁଯାୟୀ ନିର୍ବାଚିତ ସରପଞ୍ଚ ଓଡ଼ିଆ ପଢ଼ିବା ଓ ଲେଖିବାରେ ଅସମର୍ଥ । ଋଣ ଖିଲାପକାରୀ ଭାବେ ମଧ୍ୟ ତାଙ୍କ ନାମରେ ଅଭିଯୋଗ ରହିଛି। ଏହି ଦୁଇ ଓଡ଼ିଶା ଗ୍ରାମ ପଞ୍ଚାୟତ ଆଇନ, ୧୯୬୪ରୁ ଧାରା ୩୯ (ଲୋନ ଡିଫଲଟର), ଧାରା ୧୧ (ଖ) (ଓଡ଼ିଆ ପଢ଼ି-ଲେଖି ନ ଜାଣିବା) ଅନୁସାରେ ଅଯୋଗ୍ୟତା ବୋଲି ଦାବି କରାଯାଇଥିଲା ।

