Mao d

ଭୁବନେଶ୍ୱର : ମାଓବାଦୀଙ୍କ ପାଇଁ କୋଟି କୋଟିର ପ୍ୟାକେଜ । ବନ୍ଧୁକ ବଦଳରେ ମିଳିବ ଟଙ୍କା । ନକ୍ସଲମୁକ୍ତ ପାଇଁ ଓଡ଼ିଶା ସରକାରଙ୍କ ନୂଆ ରୋଡ୍ ମ୍ୟାପ୍ । ସଂଶୋଧିତ ହେଲା ଥଇଥାନ ଯୋଜନା । ଏଣିକି ନକ୍ସଲ ଆତ୍ମସମର୍ପଣର ୬୦ ଦିନ ଭିତରେ ମିଳିବ ଥଇଥାନ ସୁବିଧା ।  ଏନେଇ ରାଜ୍ୟ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ନୂଆ ନୀତିରେ ମୁଣ୍ଡଜାମିନ ପୁରସ୍କାର ରାଶିକୁ ବୃଦ୍ଧି କରାଯାଇଛି । କେନ୍ଦ୍ରୀୟ କମିଟି ବା ପଲିଟବ୍ୟୁରୋ ସଭ୍ୟଙ୍କୁ ସର୍ବାଧିକ ୧.୧୦ କୋଟି ଟଙ୍କା, ରାଜ୍ୟ କମିଟି ସଭ୍ୟଙ୍କ ପାଇଁ ୫୫ ଲକ୍ଷ ଟଙ୍କା ଓ ଆଂଚଳିକ କମିଟି ସଭ୍ୟଙ୍କ ପାଇଁ ୩୩ ଲକ୍ଷ ଟଙ୍କାର ପୁରସ୍କାର ରାଶି ଧାର୍ଯ୍ୟ ହୋଇଛି ।

ଏହାବ୍ୟତୀତ ୫ଲକ୍ଷ ଟଙ୍କାରୁ ଅଧିକ ପୁରସ୍କାର ଥିବା ସକ୍ରିୟ ନକ୍ସଲମାନେ ଆତ୍ମସମର୍ପଣ କଲେ ସେମାନଙ୍କୁ ଅତିରିକ୍ତ ୧୦ ଲକ୍ଷ ଟଙ୍କାର ଏକକାଳୀନ ରାଶି ଫିକ୍ସଡ୍ ଡିପୋଜିଟ୍ ଆକାରରେ ଦିଆଯିବ । ଅସ୍ତ୍ରଶସ୍ତ୍ର ସହ ଆତ୍ମସମର୍ପଣ କରୁଥିବା କ୍ୟାଡରଙ୍କ ପାଇଁ ସ୍ୱତନ୍ତ୍ର ପ୍ୟାକେଜ୍ କରଯାଇଛି । ଚଳିତବର୍ଷ ମାର୍ଚ୍ଚ ମାସ ଶେଷ ସୁଦ୍ଧା ନକ୍ସଲମୁକ୍ତ କରିବା ଲକ୍ଷ୍ୟରେ ରହିଛନ୍ତି ସରକାର ।

Share