Blind

ନୂଆଦିଲ୍ଲୀ: କେରଳ କନ୍ନୁରର ଜଣେ ୨୪ ବର୍ଷୀୟା ମହିଳା ଆଇନଜୀବୀ ଥାନ୍ୟା ନାଥନ ସି ରାଜ୍ୟ ତଥା ଦେଶର ପ୍ରଥମ ୧୦୦% ଦୃଷ୍ଟିହୀନ ମହିଳା ବିଚାରପତି ହୋଇଛନ୍ତି । ଜଣେ ଆଇନଜୀବୀ ଭାବେ ସେ ବର୍ଷେ ହେଲା ଅଭ୍ୟାସ କରୁଥିବା ବେଳେ କେରଳ ନ୍ୟାୟିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି । ଏହାଦ୍ଵାରା ସେ ରାଜ୍ୟର ପ୍ରଥମ ଦୃଷ୍ଟିହୀନ ନ୍ୟାୟିକ ଅଧିକାରୀ ହୋଇଛନ୍ତି । ଥାନ୍ୟା ପ୍ରଥମ ଥର ନ୍ୟାୟିକ ସେବା ପରୀକ୍ଷା ଦେଇ ଭିନ୍ନକ୍ଷମଙ୍କ ମଧ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ।

ଗତବର୍ଷ ସୁପ୍ରିମକୋର୍ଟ ଭିନ୍ନକ୍ଷମ ବ୍ୟକ୍ତିମାନଙ୍କୁ ନ୍ୟାୟିକ ଅଧିକାରୀ ଚାକିରିରୁ ନିଷେଧ କରାଯିବା ଉଚିତ ନୁହେଁ ବୋଲି ନିର୍ଦ୍ଦେଶ ଦେଇଥିଲେ । ସର୍ବୋଚ୍ଚ ଅଦାଲତଙ୍କ ଏହି ନିଷ୍ପତ୍ତି ଥାନ୍ୟାଙ୍କ ଚୟନ ପାଇଁ ପଥ ପ୍ରଶସ୍ତ କରିଥିଲା । କୋର୍ଟରେ ସ୍କ୍ରିନ୍ ରିଡର୍ ଓ ଡିକ୍ଟେସନ୍ ଆପ୍ ଥାନ୍ୟାଙ୍କ କାର୍ଯ୍ୟ ସହଜ କରୁଛି । ସେ ଆଶା କରୁଛନ୍ତି ଯେ ଇ-କୋର୍ଟ କାର୍ଯ୍ୟକାରୀ ହେବା ସହିତ କୋର୍ଟଗୁଡ଼ିକର ଆଧୁନିକୀକରଣ ଭିନ୍ନକ୍ଷମ ବ୍ୟକ୍ତିମାନଙ୍କ ପାଇଁ କୋର୍ଟ ରୁମ୍ ଗୁଡ଼ିକୁ ଅଧିକ ସୁଗମ କରିବ । ଥାନ୍ୟା ହେଉଛନ୍ତି ଏନ୍ଆରଆଇ ଜଗନ୍ନାଥ ଓ ଗୃହିଣୀ ବବିତାଙ୍କ ଝିଅ । ତାଙ୍କ ଭଉଣୀ ତାରା ବିଦେଶରେ ରହି ପଢୁଛନ୍ତି । ଥାନ୍ୟା କନ୍ନୁରରେ ଶିକ୍ଷା ଗ୍ରହଣ କରିଥିଲେ । ଏହାପୂର୍ବରୁ ୨୦୧୩ରେ ରାଜସ୍ଥାନର ବ୍ରହ୍ମାନନ୍ଦ ଶର୍ମା ଦେଶର ପ୍ରଥମ ୧୦୦% ଦୃଷ୍ଟିହୀନ ବିଚାରପତି ହୋଇଥିବା ସୂଚନା ରହିଛି ।

Share