ଠକେଇରେ ୟୁକୋ ବ୍ୟାଙ୍କର ଏକ ଆକାଉଣ୍ଟରେ ୬ ମାସ ମଧ୍ୟରେ ୫ କୋଟିରୁ ଅଧିକ ଟଙ୍କା କାରବାର ହୋଇଥିବା ଜଣା ପଡିଥିଲା। ଏନେଇ ବଲାଙ୍ଗିର ସାଇବର ପୋଲିସ ଖୋଳତାଡ଼ ଆରମ୍ଭ କରିଥିଲା। ୫ରୁ ଅଧିକ ଆକାଉଣ୍ଟ ସମ୍ପର୍କରେ ପଚରାଉଚୁରା କଲାପରେ ଏହା ସାଇବର ଠକଙ୍କ କାମ ହୋଇଥିବା ଜଣାପଡିଥିଲା। ବଲାଙ୍ଗିର ସାଇବର ଥାନା ଅଧିକାରୀ ଭାରତୀ ନାଏକଙ୍କ ନେତୃତ୍ୱରେ ପୋଲିସ ତଦନ୍ତକରି ଦେବାଶିଷ ଓ ସୌମ୍ୟଙ୍କୁ ଗିରଫ କରିଛି। ସେମାନଙ୍କ ପାଖରୁ ବିଭିନ୍ନ ବ୍ୟାଙ୍କର ୨୯ଟି ପାସବୁକ୍, ୧୫ଟି ଚେକ ବହି, ଗୋଟିଏ ସ୍ୱାଇପ ମେସିନ, ୮ ଟି ମୋବାଇଲ, ଗୋଟିଏ କାର ସହ ୨ଟି ବାଇକ ଜବତ କରିଛି ପୁଲିସ। ଅଭିଯୁକ୍ତ ମାନଙ୍କୁ ଅଦାଲତ ଚାଲାଣ କରାଯାଇଛି। ପଶ୍ଚିମବଙ୍ଗରେ ଥିବା ସାଇବର ଠକ ରାକେଟ ସହ ଏମାନଙ୍କ ସଂପୃକ୍ତି ରହିଥିବାରୁ ରାକେଟର ଅନ୍ୟମାନଙ୍କୁ ମଧ୍ୟ ଗିରଫ କରାଯିବ ବୋଲି ବଲାଙ୍ଗିର ଏସପି ଅଭିଳାଷ ଜି ଏସପି ଅଫିସରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଉଛନ୍ତି। ଏଥିସହ ସାଇବର ଠକେଇରୁ ସୁରକ୍ଷିତ ରହିବାକୁ ଜିଲ୍ଲାବାସୀଙ୍କୁ ସଚେତନ କରିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ଅନ୍ୟ ଏମାନଙ୍କ ମଧ୍ୟରେ ବଲାଙ୍ଗିର ସାଇବର ଥାନା ଅଧିକାରୀ ଓ ଏସଡିପିଓ ଉପସ୍ଥିତ ଥିଲେ।
ବଲାଙ୍ଗିର : ସଦର ଓ ଲୋଇସିଂହା ବ୍ଲକ ଅଞ୍ଚଳରେ ବିଭିନ୍ନ ଲୋକଙ୍କ ନାଁରେ ବ୍ୟାଙ୍କ ଆକାଉଣ୍ଟ ଖୋଲି ୫ କୋଟିରୁ ଅଧିକ ଟଙ୍କା ଠକେଇ କରିଥିବା ୨ ସାଇବର ଠକଙ୍କୁ ଗିରଫ କରିଛି ବଲାଙ୍ଗିର ସାଇବର ଥାନା ପୁଲିସ। ଗିରଫ ଅଭିଯୁକ୍ତ ହେଲେ ସଦର ଥାନା ଚୁଡ଼ାପାଲି ଗାଁର ଦେବାଶିଷ କାଣ୍ଟି ଓ ସୌମ୍ୟରଞ୍ଜନ କବାଟ।
ଗିରଫ ଦେବାଶିଷ ଏହି ଠକେଇ ଘଟଣାର ମାଷ୍ଟରମାଇଣ୍ଡ ହୋଇଥିବା ଜଣାପଡ଼ିଛି। ଏମାନେ ବୟସ୍କ ଓ ଯୁବବର୍ଗର ସରଳଲୋକଙ୍କୁ ଟାର୍ଗେଟ କରି ହଜାରେ,ଦୁଇହଜାର ଟଙ୍କାର ପ୍ରଲୋଭନ ଦେଖାଇ ସେମାନଙ୍କ ନାମରେ ବିଭିନ୍ନ ବ୍ୟାଙ୍କରେ ଆକାଉଣ୍ଟ ଖୋଲିଥିଲେ। ପାସବହି ଓ ଏଟିଏମ କାର୍ଡ ଆସିବାପରେ ସେସବୁ ନେଇ ପଶ୍ଚିମବଙ୍ଗର ଏକ ସାଇବର ଠକ ଦଳଙ୍କୁ ଦେଉଥିଲେ। ଏବାବଦରେ ଦୁଇଜଣ ଆକାଉଣ୍ଟ ପିଛା ୫ ରୁ ୭ ହଜାର ଟଙ୍କା ପାଉଥିଲେ। ପଶ୍ଚିମବଙ୍ଗର ସାଇବର ଠକ ରାକେଟ, ଏହି ଆକାଉଣ୍ଟ ଗୁଡ଼ିକରେ ଠକେଇ କରି ଆଣୁଥିବା କୋଟି କୋଟି ଟଙ୍କା ନେଣଦେଣ କରୁଥିଲେ।

