ଯାଜପୁର: ପୋଲିସ ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ । ଦିନ ଦ୍ୱିପ୍ରହରରେ ଲୁଟିନେଲେ ଲକ୍ଷାଧିକ ଟଙ୍କା ସହ ସୁନା ରୁପା ଅଳଙ୍କାର । ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଜାରକା ଝାଲସୁଖା ସ୍ଥିତ ଜଣେ ପୋଲିସ କର୍ମଚାରୀଙ୍କ ଘରୁ ଲୁଟ ହୋଇଛି । ଘରେ କେହି ନଥିବାର ସୁଯୋଗ ନେଇ ଦୁର୍ବୃତ୍ତମାନେ ଏକ ଲକ୍ଷ ନଗଦ ଟଙ୍କା ସହିତ ୨୦ ଭରି ସୁନା ଓ ୨ଶହ ଗ୍ରାମ ରୁପା ଅଳଙ୍କାର ଲୁଟି ନେଇଥିବା ଅଭିଯୋଗ ହୋଇଛି । ଯାଜପୁର ରୋଡ ଥାନାରେ ଚାକିରି କରିଥିବା ହାବିଲଦାର ବିଦ୍ୟାଧର ସେଠୀ ଜାରକା ସ୍ଥିତ ଝାଲସୁଖା ମୌଜାରେ ଘର ନିର୍ମାଣ କରି ରହି ଆସୁଛନ୍ତି ।
ତାଙ୍କ ପତ୍ନୀ କନକ ସେଠୀ ହରିପୁର ସ୍କୁଲରେ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟରତ । ଉଭୟ ଘରେ ତାଲା ପକାଇ ନିଜ ନିଜ କର୍ମକ୍ଷେତ୍ରକୁ ବାହାରି ଯାଇଥିଲେ । ଏହାର ସୁଯୋଗ ନେଇ ଦୃର୍ବୁତ୍ତମାନେ ପାଚେରୀ ଡେଇଁ ଗେଟ ତାଲା କାଟି ଘରେ ପ୍ରବେଶ କରି ଦୁଇଟି ଆଲମିରାରୁ ଏକ ଲକ୍ଷ ନଗଦ ଟଙ୍କା ସହିତ ୨୦ ଭରି ସୁନା ଓ ୨ଶହ ଗ୍ରାମ ରୁପା ଅଳଙ୍କାର ଲୁଟି ନେଇ ଫେରାର ହୋଇଯାଇଥିଲେ । ଏନେଇ ଧର୍ମଶାଳା ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

