ବାଲୁଗାଁ: ବାଲୁଗାଁରେ ବଜାରରେ ମାତିଲେ ଲୁଟେରା ଗ୍ୟାଙ୍ଗ । ରାତିରେ ୫ଟି ସ୍ଥାନରେ ୮ ମନ୍ଦିରରୁ ସିରିଜ ଲୁଟ । ଲୁଟି ନେଲେ ମନ୍ଦିରର ଦେବଦେବୀଙ୍କ ଲକ୍ଷାଧିକ ଟଙ୍କାର ସୁନାରୁପା ଅଳଙ୍କାର । ଦାନ ବାକ୍ସ ମଧ୍ୟ ଭାଙ୍ଗି ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ । ମନ୍ଦିରରୁ ଦେବଦେବୀଙ୍କ ରୁପାର କିରଟି, ବାହୁଟି, ଛତି, କଙ୍କଣ, ବଇଁଶୀ ସହିତ ସୁନାର ଚିତା, ମଙ୍ଗଳସୂତ୍ର ସବୁ ଲୁଟ ନେଇ ଅଭିଯୋଗ ହୋଇଛି । ସାନ୍ତରାପୁର ଗ୍ରାମ ମନ୍ଦିର ରୁ ଦାନ ବାକ୍ସ ଭାଙ୍ଗି ଲକ୍ଷାଧିକ ଦାନ ଟଙ୍କା ମଧ୍ୟ ଲୁଟ ନେଉଛନ୍ତି ।
ଗତକାଲି ବିଳମ୍ବିତ ରାତିରେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ NAC ଅନ୍ତର୍ଗତ ବାଲୁଗାଁ ମୁଖ୍ୟ ରାସ୍ତାରେ ଥିବା ସରଳାପଦର ସ୍ଥିତ ଉତ୍ତରାୟଣୀ ମନ୍ଦିର ଓ ମାଛ ମାର୍କେଟ ସ୍ଥିତ କାଳିଜାଇ ମନ୍ଦିର, ସାନ୍ତରାପୁର ଗ୍ରାମରେ ଥିବା ଦଧିବାବନ ମନ୍ଦିର , ଲକ୍ଷ୍ମୀ ମନ୍ଦିର, ହନୁମାନ ମନ୍ଦିର , ଗୁପ୍ତେଶ୍ୱର ଦେବ ମନ୍ଦିରରୁ ଚୋରି ହୋଇଛି । ସେହିପରି ଗାନ୍ଧୀନଗର ସ୍ଥିତ ମାଆ ଭଗବତୀ ଗିରି ଦୁର୍ଗା ମନ୍ଦିର ଓ ବିଦ୍ୟାଧରପୁର ସାହି ଥିବା ମା ଖିଲାମୁଣ୍ଡା ମନ୍ଦିର ରୁ ସମାନ ଢଙ୍ଗ ରେ ସମସ୍ତ ମନ୍ଦିର ର ତାଲା ଭାଙ୍ଗି ଲୁଟିନେଇଛନ୍ତି ଦୁର୍ବୃତ୍ତ ।
ଘଟଣା ସ୍ଥଳରେ ବାଲୁଗାଁ ଥାନା ପୋଲିସ ପହଞ୍ଚି ତଦନ୍ତ କରୁଛି। ଗତ ଚାରି ଦିନ ତଳେ ବାଲୁଗାଁ ଗାନ୍ଧୀ ଛକ ନିକଟରେ ଥିବା ବିନାୟକ ଲୁଗା ଦୋକାନ ସମ୍ମୁଖରେ ଚାରି ଜଣଙ୍କର ମୋବାଇଲ ଚୋରି ହୋଇଥିଲା । ଏହାପରେ ଗତ ରାତିରେ ମନ୍ଦିରରୁ ସିରିଜ ଲୁଟ ଘଟଣାକୁ ନେଇ ଲୋକମାନେ ଭୟଭୀତ ହୋଇପଡ଼ିଛନ୍ତି ।

