ରାଜସ୍ଥାନ : ରାଜସ୍ଥାନର ଭିୱାଡିରେ ଏକ ରାସାୟନିକ କାରଖାନାରେ ଅଗ୍ନିକାଣ୍ଡ । ନିଆଁରେ ସାତ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ସେମାନଙ୍କ ମୃତଦେହ ଉଦ୍ଧାର କରାଯାଇଛି ହେଲେ ଦୁଇଜଣ ଶ୍ରମିକ ଏବେ ବି ଭିତରେ ଫସି ରହିଛନ୍ତି । ଘଟଣା ସମୟରେ କାରଖାନାରେ ପ୍ରାୟ ୨୫ ଜଣ ଶ୍ରମିକ କାମ କରୁଥିଲେ । ସୋମବାର ସକାଳ ପ୍ରାୟ ୯:୨୨ ମିନିଟ ସମୟରେ ଖୁଶଖେଡା କରାଉଲି ଶିଳ୍ପାଞ୍ଚଳରେ ଏହି ଦୁର୍ଘଟଣା ଘଟିଥିଲା । ତେବେ ଆଗକୁ ମୃତକଙ୍କ ସଂଖ୍ୟା ବଢିପାରେ ବୋଲି ଅନୁମାନ କରାଯାଉଛି ।
ଏହି କାରଖାନାରେ ରାସାୟନିକ ପଦାର୍ଥ ସହିତ ଫୋଟକା ମଧ୍ୟ ତିଆରି କରାଯାଉଥିଲା । କାରଖାନା ମାଲିକଙ୍କ ନାମ ରାଜେନ୍ଦ୍ର । ଅନେକ ଲୋକ ପସିଥିବା ଆଶଙ୍କା କରାଯାଉଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି ।
କାରଖାନା ମାଲିକ କହିଛନ୍ତି, ଖୁସଖେଡା ଏବଂ ଭିୱାଡି RICO ଅଗ୍ନିଶମ କେନ୍ଦ୍ରର ଦମକଳ ଗାଡ଼ିଗୁଡ଼ିକ ଘଟଣାସ୍ଥଳରେ ପହଞ୍ଚିଥିଲେ । ପ୍ରାୟ ଦେଢ଼ ଘଣ୍ଟା ପରିଶ୍ରମ ପରେ ନିଆଁକୁ ନିୟନ୍ତ୍ରଣ କରାଯାଇଥିଲା । ଦୁର୍ଘଟଣାରେ ମୃତଦେହ ଗୁଡ଼ିକ ସମ୍ପୂର୍ଣ୍ଣ ପୋଡ଼ି ଯାଇଥିଲା । ଅଗ୍ନିକାଣ୍ଡ ହେବାର କାରଣ ଏଯାଏଁ ଜଣାପଡିନାହିଁ । ବିସ୍ଫୋରଣକୁ ନେଇ ତଦନ୍ତ ଚାଲିଛି । ପ୍ରଶାସନ ଘଟଣାକୁ ମାଜିଷ୍ଟ୍ରେଟ ଯାଂଚ ପାଇଁ ସଙ୍କେତ ଦେଇଛନ୍ତି ।
ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି । ଜିଲ୍ଲା ପ୍ରଶାସନ ଉଦ୍ଧାର କାର୍ଯ୍ୟ ସହତ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଈଶ୍ବରଙ୍କ ଦିଂବଗତ ଆତ୍ମାର ଶାନ୍ତି ପାଇଁ ପ୍ରାର୍ଥନା କରିଛନ୍ତି ଆଉ ଆହତଙ୍କ ଶୀଘ୍ର ସୁସ୍ଥ କାମନା କରିଛନ୍ତି ।

