ନୂଆଦିଲ୍ଲୀ : ଆଜି ସକାଳେ ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜରେ ଆଉ ଏକ ବଡ଼ ଦୁର୍ଘଟଣା ଅଳ୍ପକେ ଟଳିଯାଇଛି । ପବନ ହଂସ ହେଲିକପ୍ଟର ଉଡ଼ାଣ ଭରିବାର କିଛି ସମୟ ପରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିବା ସୂଚନା ମିଳୁଛି । ଫଳରେ ପାଇଲଟଙ୍କୁ ସମୁଦ୍ରରେ ଲ୍ୟାଣ୍ଡିଂ କରିବାକୁ ପଡିଥିଲା । ସୌଭାଗ୍ୟବଶତଃ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡିଛି ।
ସୂଚନାନୁଯାୟୀ, ହେଲିକପ୍ଟରଟି ପୋର୍ଟ ବ୍ଲେୟାରରୁ ମାୟାବନ୍ଦର ଅଭିମୁଖେ ଯାତ୍ରା କରୁଥିଲା । ଯେଉଁଥିରେ ୭ ଜଣ ଯାତ୍ରୀ ଥିଲେ । ଘଟଣାଟି ସକାଳ ପ୍ରାୟ ସାଢ଼େ ୯ଟାରେ ଘଟିଥିବା ପବନ ହଂସଙ୍କ ମୁଖପାତ୍ରଙ୍କଠାରୁ ସୂଚନା ମିଳୁଛି । ହେଲିକପ୍ଟରଟି ଦୁଇ ଜଣ କ୍ରୁ ସଦସ୍ୟ ଏବଂ ପାଞ୍ଚ ଜଣ ଯାତ୍ରୀଙ୍କୁ ନେଇ ପୋର୍ଟ ବ୍ଲେୟାରରୁ ଉଡ଼ାଣ ଭରଥିଲା । ଏହାରି ମଧ୍ୟରେ ହେଲିକପ୍ଟରଟି ଯାନ୍ତ୍ରିକ ତ୍ରୁଟିର ସମ୍ମୁଖୀନ ହୋଇଥିଲା । ସମସ୍ତ ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପାଇଲଟ୍ ହେଲିକପ୍ଟରକୁ ସମୁଦ୍ରରେ ଅବତରଣ କରିବାକୁ ନିଷ୍ପତ୍ତି ନେଇଥିଲେ । ଏଥିସହ ଅଧିକାରୀମାନେ କହିଛନ୍ତି ଯେ, ମାୟାବନ୍ଦରରେ ଅବତରଣ କରିବା ସମୟରେ ହେଲିକପ୍ଟରଟି ରନୱେରୁ ପ୍ରାୟ ୩୦୦ ମିଟର ଦୂରରେ ସମୁଦ୍ରରେ ଅବତରଣ କରିଥିଲା । କିନ୍ତୁ କୌଣସି ଯାତ୍ରୀ ଏବଂ କ୍ରୁ ସଦସ୍ୟଙ୍କର କ୍ଷୟକ୍ଷତି ଘଟିନଥିବା ସୂଚନା ମିଳିଛି । ବର୍ତ୍ତମାନ ଯାନ୍ତ୍ରିକ ତ୍ରୁଟିର କାରଣ ଜାଣିବା ପାଇଁ ତଦନ୍ତ ଆରମ୍ଭ କରାଯାଇଛି ।
ଏହା ପୂର୍ବରୁ ଆଜି ସକାଳେ ଇଞ୍ଜିନରେ ସମସ୍ୟା ଯୋଗୁଁ ସ୍ପାଇସଜେଟର ଏକ ସ୍ପାଇସଜେଟର ବିମାନ ଲେହକୁ ଫେରି ଆସିଥିଲା । SG121 ନମ୍ବରରେ ଚାଲୁଥିବା ବୋଇଂ ୭୩୭ ବିମାନଟି ପ୍ରାୟ ୧୫୦ ଯାତ୍ରୀଙ୍କୁ ନେଇ ଯାତ୍ରା କରୁଥିଲା ବୋଲି କୌଣସି ଏକ ସୂତ୍ରରୁ ଜଣାପଡିଛି । ଆଜି ଦିଲ୍ଲୀରୁ ଲେହ ଯାଉଥିବା ଏକ ବିମାନ ଯାନ୍ତ୍ରିକ ସମସ୍ୟା ଯୋଗୁଁ ରାଜଧାନୀକୁ ଫେରି ଆସିଥିଲା ବୋଲି ମଧ୍ୟ ସ୍ପାଇସଜେଟର ଜଣେ ମୁଖପାତ୍ର କହିଥିଲେ ।
ଆହୁରି ମଧ୍ୟ ମୁଖପାତ୍ର କହିଛନ୍ତି ଯେ, ବିମାନଟି ଦିଲ୍ଲୀରେ ସୁରକ୍ଷିତ ଭାବରେ ଅବତରଣ କରିଛି ଏବଂ ସମସ୍ତ ଯାତ୍ରୀଙ୍କୁ ସ୍ୱାଭାବିକ ଭାବରେ ବିମାନରୁ ଓହ୍ଲାଇ ଦିଆଯାଇଛି । ବିମାନଟି ଇଞ୍ଜିନ ସମସ୍ୟାର ସମ୍ମୁଖୀନ ହୋଇଥିଲା । କକପିଟରେ କୌଣସି ଅଗ୍ନିକାଣ୍ଡ ସତର୍କତା ନଥିଲା ବୋଲି ମୁଖପାତ୍ରଙ୍କ ସୂତ୍ରରୁ ପ୍ରକାଶ ପାଇଛି ।

