ନୂଆଦିଲ୍ଲୀ : କେରଳର ନାମ ପରିବର୍ତ୍ତନ କରି କେରଳମ୍ କରିବା ପାଇଁ ଅନୁମୋଦନ ପରେ ଏବେ ରାଜଧାନୀ ଦିଲ୍ଲୀର ନାମ ପରିବର୍ତ୍ତନ କରିବାକୁ ଦାବି ହେଉଛି । ବିଜେପି ସାଂସଦ ପ୍ରବୀଣ ଖଣ୍ଡେଲୱାଲ ଏ ସମ୍ପର୍କରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଚିଠି ଲେଖିଛନ୍ତି । ତାଙ୍କ ଚିଠିରେ ଖଣ୍ଡେଲୱାଲ ଦିଲ୍ଲୀର ନାମ ଇନ୍ଦ୍ରପ୍ରସ୍ଥ ରଖିବାକୁ ଶାହଙ୍କୁ ଅନୁରୋଧ କରିଛନ୍ତି ।
ସାଂସଦ ପ୍ରବୀଣ ଖଣ୍ଡେଲୱାଲ କହିଛନ୍ତି, ଏପରି ପଦକ୍ଷେପ ଭାରତର ରାଜଧାନୀର ଐତିହାସିକ ତଥା ସଭ୍ୟତାଗତ ପରିଚୟକୁ ପୁନଃସ୍ଥାପିତ କରିବ । ସେ ଐତିହାସିକ, ପ୍ରତ୍ନତତ୍ତ୍ୱବିତ୍ ଓ ଅନ୍ୟାନ୍ୟ ବିଶେଷଜ୍ଞଙ୍କ ସହ ପରାମର୍ଶ କରି ଏହି ପ୍ରସ୍ତାବ ଉପରେ ଏକ ଆନୁଷ୍ଠାନିକ ପ୍ରକ୍ରିୟା ଆରମ୍ଭ କରିବାକୁ ଶାହଙ୍କୁ ଅନୁରୋଧ କରିଛନ୍ତି ।
ଖଣ୍ଡେଲୱାଲ ଚିଠିରେ ଲେଖିଛନ୍ତି ,ଐତିହାସିକ ସାହିତ୍ୟ, ପ୍ରତ୍ନତାତ୍ତ୍ୱିକ ପ୍ରମାଣ ତଥା ଦୀର୍ଘକାଳୀନ ସଭ୍ୟତାଗତ ପରମ୍ପରା ପ୍ରତିପାଦିତ କରେ ଯେ, ବର୍ତ୍ତମାନର ଦିଲ୍ଲୀ ହେଉଛି ପ୍ରାଚୀନ ଇନ୍ଦ୍ରପ୍ରସ୍ଥର ସ୍ଥାନ । ଯାହା ପାଣ୍ଡବମାନଙ୍କ ଦ୍ୱାରା ପ୍ରତିଷ୍ଠିତ ମହାରାଜଧାନୀ । ମହାକାବ୍ୟ ମହାଭାରତରେ ଏହା ବର୍ଣ୍ଣିତ ହୋଇଛି । ଖଣ୍ଡେଲୱାଲଙ୍କ ଅନୁସାରେ, ଦିଲ୍ଲୀ ନାମ କେବଳ ଇତିହାସର ଏକ ନିର୍ଦ୍ଦିଷ୍ଟ ପର୍ଯ୍ୟାୟକୁ ପ୍ରତିଫଳିତ କରୁଛି ।
ଚିଠିରେ ଖଣ୍ଡେଲୱାଲ ଦିଲ୍ଲୀର ପ୍ରାଚୀନ ସାଂସ୍କୃତିକ ତଥା ଐତିହାସିକ ପରିଚୟକୁ ପୁନର୍ଜୀବିତ କରିବା ପାଇଁ ପାଣ୍ଡବମାନଙ୍କ ପ୍ରତିମୂର୍ତ୍ତି ଦିଲ୍ଲୀର ପୁରୁଣା କିଲ୍ଲା ଭଳି ଉପଯୁକ୍ତ ସ୍ଥାନରେ ସ୍ଥାପନ କରିବାକୁ ପରାମର୍ଶ ଦେଇଛନ୍ତି । ପ୍ରବୀଣ ଖଣ୍ଡେଲୱାଲ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କୁ ଏକ ପୃଥକ ଚିଠି ମଧ୍ୟ ଲେଖି ଦିଲ୍ଲୀର ନାମକୁ ଇନ୍ଦ୍ରପ୍ରସ୍ଥ କରିବା ପାଇଁ ଦିଲ୍ଲୀ ବିଧାନସଭାରେ ଏକ ପ୍ରସ୍ତାବ ପାରିତ କରି କେନ୍ଦ୍ର ସରକାରଙ୍କୁ ପଠାଇବାକୁ ଦାବି କରିଛନ୍ତି ।

