ନୂଆଦିଲ୍ଲୀ : ଭାରତର ଆଗାମୀ ଜନଗଣନା ୨୦୨୭କୁ ନେଇ କେନ୍ଦ୍ର ସରକାର କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ଭାରତର ରେଜିଷ୍ଟରିଅର୍ ଜେନେରାଲଙ୍କ ଦ୍ବାରା ଜାରି ହୋଇଥିବା ଏକ ସର୍କୁଲାର ଅନୁଯାୟୀ, ଯଦି କୌଣସି ଜନଗଣନା ଅଧିକାରୀ ଜାଣିଶୁଣି ଅପମାନଜନିକ ତଥା ଅନୁଚିତ୍ ପ୍ରଶ୍ନ ପଚାରିବେ ତାଙ୍କୁ ଦୋଷୀ ଭାବେ ଗଣାଯିବ । ଏଥିସହ ସେହି ବ୍ୟକ୍ତିଙ୍କୁ ୩ ବର୍ଷର ଜେଲ ଦଣ୍ଡ ଭୋଗିବାକୁ ପଡିବ ।
ସୂଚନାନୁଯାୟୀ, ଭାରତର ରେଜିଷ୍ଟରିଅର୍ ଜେନେରାଲ ଏବଂ ଜନଗଣନା କମିଶନର ମୃତ୍ୟୁଞ୍ଜୟ କୁମାର ନାରାୟଣ ସମସ୍ତ ରାଜ୍ୟକୁ ପଠାଯାଇଥିବା ଏକ ନୋଟରେ ଜନଗଣନା ଆଇନ ୧୯୪୮ ର ଧାରା ୧୧ ଅନୁଯାୟୀ ଧାର୍ଯ୍ୟ ଦଣ୍ଡ ବିଷୟରେ ବିସ୍ତୃତ ଭାବରେ ଉଲ୍ଲେଖ କରିଛନ୍ତି ବୋଲି କୌଣସି ଏକ ସୂତ୍ରରୁ ଜଣାପଡିଛି । ଏହି ଦଣ୍ଡବିଧାନ ଅପରାଧ ବର୍ଗର ଆଧାରରେ ୧୦୦୦ ଟଙ୍କା ଜୋରିମାନାରୁ ଆରମ୍ଭ କରି ୩ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ଦିଆଯିବ ।
ବିନା ଅନୁମତିରେ କାହାର କୌଣସି ବ୍ୟକ୍ତିଗତ ସୂଚନା ସେୟାର ନକରିବାକୁ ଅଧିକାରୀମାନଙ୍କୁ ଚେତାବନୀ ଦିଆଯାଇଛି । ଯଦି କୌଣସି ଅଧିକାରୀ କାମରେ ଅବହେଳା, ଅଦେଶକୁ ଉଲ୍ଲଂଘନ କରେ କିମ୍ବା କୌଣସି ଅନ୍ୟ କର୍ମଚାରୀଙ୍କ କାମରେ ବାଧା ଦିଅନ୍ତି ତେବେ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏହା ବ୍ୟତୀତ ଜନଗଣନା ସହିତ ଜଡିତ ଦଲିଲକୁ ଲୁଚାଇବାକୁ କିମ୍ବା ହେରଫେର କାର୍ଯ୍ୟ କରିବାକୁ ଚେଷ୍ଟା କରାଯାଏ ତେବେ ସେଥିପ୍ରତି ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯିବ ।
କେଉଁ ସବୁ ଭୁଲ କଲେ ନିଆଯିବ କାର୍ଯ୍ୟାନୁଷ୍ଠାନ :
ଜାଣିଶୁଣି ଯଦି ଆପତ୍ତିଜନକ ପ୍ରଶ୍ନ ପଚାରନ୍ତି
ଜାଣିଶୁଣି ଭୁଲ ସୂଚନା ଦିଅନ୍ତି
ସରକାରଙ୍କ ବିନା ଅନୁମତିରେ ଯଦି ଜନଗଣନା ସମୟରେ ପାଇଥିବା ସୂଚନା ପ୍ରକାଶ କରନ୍ତି
ନିଜର କାମରେ ଅବହେଳା କିମ୍ବା ନିର୍ଦ୍ଦେଶକୁ ଅବମାନନା କରନ୍ତି
ଦସ୍ତାବିଜ ସହିତ ହେରଫେର କାମ କରନ୍ତି
ଏହି ସବୁ କାମ କଲେ ଜନଗଣନା ଅଧିକାରୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସର୍କୁଲାର ପକ୍ଷରୁ ସୂଚନା ମିଳିଛି ।
ଅନ୍ୟପଟେ ୨୦୨୭ ଜନଗଣନା ସମ୍ପୂର୍ଣ୍ଣ ଡିଜିଟାଲ ହେବ ଏବଂ ନାଗରିକଙ୍କ ପାଖରେ ଆତ୍ମଗଣନା କରିବାର ବିକଳ୍ପ ରହିବ । ଦେଶରେ ସ୍ବାଧୀନତା ପରେ ଏହା ୧୬ତମ ଜନଗଣନା ହେବ । ପ୍ରଥମ ଥର ପାଇଁ ଜାତିଭିତ୍ତିକ ଜନଗଣନା ସାମିଲ ହେବ । ଏହି ପ୍ରକ୍ରିୟା ପାଇଁ କେନ୍ଦ୍ର ସରକାର ୧୧,୭୧୮ ମୋଟି ଟଙ୍କାର ବଜେଟ୍ ଅନୁମୋଦନ କରିଛନ୍ତି । ୨୦୨୧ ମସିହାରେ ପ୍ରସ୍ତାବିତ ଜନଗଣନାକୁ କୋଭିଡ୍ ଯୋଗୁଁ ସ୍ଥଗିତ ରଖାଯାଇଥିଲା ଏବଂ ଏହି ଜନଗଣନାକୁ ୨୦୨୭ରେ କରାଯିବ ।

