ବିଶାଖାପାଟଣା : ଦିଲ୍ଲୀ ଶ୍ରଦ୍ଧା ୱାକର ହତ୍ୟାକାଣ୍ଡର ରିପିଟ୍ । ବିଶାଖାପାଟଣାରେ ଜଣେ ବିବାହିତ ନୌସେନା କର୍ମଚାରୀ ନିଜ ପ୍ରେମିକାଙ୍କୁ ହତ୍ୟା କରିବା ପରେ ଖଣ୍ଡ ଖଣ୍ଡ କରି ଫ୍ରିଜରେ ରଖିଥିଲେ । ମୃତଦେହର କିଛି ଅଂଶ ଫ୍ରିଜରୁ ଉଦ୍ଧାର କରିଛି ପୋଲିସ । କିନ୍ତୁ ଏପର୍ଯ୍ୟନ୍ତ ମୁଣ୍ଡ ମିଳିନି ।
INS ଦେଗାରେ ନୌସେନା ଟେକ୍ନିସିଆନ୍ ଭାବେ କାର୍ଯ୍ୟରତ ଅଭିଯୁକ୍ତ ଚିନ୍ତାଡା ରବୀନ୍ଦ୍ର ବିଶାଖାପାଟଣାର ଏଲ.ଭି. ନଗରସ୍ଥିତ ବାସଭବନରେ ରହୁଥିଲେ । ରବୀନ୍ଦ୍ରଙ୍କ ପତ୍ନୀ ନିଜ ବାପଘରକୁ ଯାଇଥିବା ବେଳେ ନିଜ ବାସଭବନକୁ ପ୍ରେମିକାଙ୍କୁ ଡାକି ହତ୍ୟାକାଣ୍ଡ ଘଟାଇଥିଲେ ରବୀନ୍ଦ୍ର । ଯୁକ୍ତିତର୍କ ପରେ ରବୀନ୍ଦ୍ର ମୌନିକାଙ୍କୁ ଛୁରୀ ଭୁସି ହତ୍ୟା କରିଥିଲେ ।
ମୃତକ ହେଲେ ୨୯ ବର୍ଷୀୟା ପଲ୍ଲୀପାଲ୍ଲୀ ମୌନିକା । ତାଙ୍କ ସହ ୨୦୨୧ ମସିହାରେ ଏକ ଡେଟିଂ ଆପ୍ ଜରିଆରେ ରବୀନ୍ଦ୍ରଙ୍କ ସମ୍ପର୍କ ଗଢ଼ିଉଠିଥିଲା । ପ୍ରମାଣ ନଷ୍ଟ କରିବା ପାଇଁ ସେ ମୃତଦେହକୁ ଖଣ୍ଡ ଖଣ୍ଡ କରି କାଟି କିଛି ଅଂଶକୁ ବ୍ୟାଗରେ ଏବଂ ବାକି ଅଂଶକୁ ଫ୍ରିଜରେ ଭର୍ତ୍ତି କରି ରଖିଥିଲେ । ପରେ ସେ ନିଜେ ପୋଲିସ ନିକଟରେ ଆତ୍ମସମର୍ପଣ କରିଥିଲେ ।
ପୋଲିସ ସୂଚନା ଅନୁଯାୟୀ, ମୌନିକା ରବୀନ୍ଦ୍ରଙ୍କଠାରୁ ୩.୫ ଲକ୍ଷ ଟଙ୍କା ନେଇଥିଲେ ଏବଂ ସେମାନଙ୍କ ସମ୍ପର୍କ ବିଷୟରେ ରବୀନ୍ଦ୍ରଙ୍କ ପତ୍ନୀଙ୍କୁ ଜଣାଇଦେବେ ବୋଲି ଧମକ ଦେଉଥିଲେ ।
ସୂଚନାଯୋଗ୍ୟ, ୨୦୨୨ରେ ଦିଲ୍ଲୀରେ ଶ୍ରଦ୍ଧା ୱାକରଙ୍କୁ ତାଙ୍କର ଲିଭ-ଇନ ପାର୍ଟନର ଆଫତାବ ଅମିନ ପୁନେୱାଲା ହତ୍ୟା କରିବା ପରେ ଶରୀରକୁ କାଟି ଖଣ୍ଡ ଖଣ୍ଡ କରି ପ୍ରିଜରେ ରଖିଥିଲା । ଏଥିସହ ପ୍ରମାଣ ଲୁଚାଇବା ପାଇଁ ମୃତ ଶରୀରର କିଛି ଅଂଶକୁ ଏଣେତେଣେ ଫିଙ୍ଗି ଦେଇଥିଲା ଅଭିଯୁକ୍ତ । ହେଲେ ଶେଷରେ ସେ ପୋଲିସ ହାତରେ ଧରାପଡ଼ିଥିଲା ।

