କଟକ: ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇଛି। କଟକ ସ୍ଥିତ ବୋର୍ଡ କାର୍ଯ୍ୟାଳୟରେ ରାଜ୍ୟ ଗଣଶିକ୍ଷା ମନ୍ତ୍ରୀଙ୍କ ଦ୍ୱାରା ପରୀକ୍ଷା ଫଳ ପୁସ୍ତିକା ଉନ୍ମୋଚିତ ହୋଇଛି। ଚଳିତ ବର୍ଷ ପାସ୍ ହାର ୯୫.୩୩ ପ୍ରତିଶତ ରହିଛି। ୫ ଲକ୍ଷ ୧୯ ହଜାର ୨୫୧ ପରୀକ୍ଷାର୍ଥୀ ପରୀକ୍ଷାରେ ପାସ୍ କରିଛନ୍ତି । ମାଟ୍ରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମିଳିଥିବା ସୂଚନା ଅନୁଯାୟୀ ଜିଲ୍ଲା ଭିତ୍ତିରେ ଦେଖିବାକୁ ଗଲେ ଗଜପତି ଜିଲ୍ଲାରେ ଚଳିତ ବର୍ଷ ୯୯% ପାସ୍ ହାର ସହ ଗଜପତି ଜିଲ୍ଲା ରାଜ୍ୟରେ ସର୍ବାଧିକ ସଫଳତା ହାସଲ କରିଛି। କେନ୍ଦୁଝର ଜିଲ୍ଲାରେ ପାସ୍ ହାର ସବୁଠୁ କମ୍ ଅର୍ଥାତ୍ ୯୪.୩୫% ରହିଛି। ଏ (୧)ରେ ୨୪୫୬ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଥିବାବେଳେ, ଏ(୨)ରେ ୧୫,୬୮୧ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ସେହିପରି ବି(୧)ରେ ୪୩,୫୬୫ ପରୀକ୍ଷାର୍ଥୀ , ବି(୨)ରେ ୮୬,୧୦୩ ପରୀକ୍ଷାର୍ଥୀ ପାସ୍ ହୋଇଛନ୍ତି। ସି ରେ ୧,୨୯,୮୦୩ , ଡି ରେ ୧,୪୬,୧୫୨ ଏବଂ ଇ ରେ ୯୫,୪୮୧ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ସେପଟେ ୩୩୧୦ ବିଦ୍ୟାଳୟରେ ଶତ ପ୍ରତିଶତ ରେଜଲ୍ଟ ହୋଇଛି। ଏଥର ୫,୪୪,୬୭୦ ଜଣ ଫର୍ମ ପୂରଣ କରିଥିଲେ। ୫,୩୬,୩୦୬ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। ଅନୁପସ୍ଥିତ ଛାତ୍ରଛାତ୍ରୀଙ୍କ ସଂଖ୍ୟା ୮୩୬୪ ଥିବାବେଳେ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କ ସଂଖ୍ୟା ୫,୧୯,୨୫୧ ରହିଛି।

