ନୂଆଦିଲ୍ଲୀ : ଦିଲ୍ଲୀରେ ହାଇ ଆଲର୍ଟ ଜାରି କରାଯାଇଛି । ସମ୍ଭାବ୍ୟ ଆତଙ୍କବାଦୀ ଆକ୍ରମଣକୁ ଦୃଷ୍ଟିରେ ରଖି ଅନେକ ଅଞ୍ଚଳକୁ, ସରକାରୀ କାର୍ଯ୍ୟାଳୟ ଏବଂ ଜନଗହଳି ସ୍ଥାନରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।
ସୂଚନାନୁଯାୟୀ, ପ୍ରମୁଖ ସରକାରୀ କୋଠା, ରାଜନୈତିକ କାର୍ଯ୍ୟାଳୟ, ବଜାର ଏବଂ ପରିବହନ କେନ୍ଦ୍ରଗୁଡ଼ିକରେ ଅତିରିକ୍ତ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଯାନବାହାନ ଯାଞ୍ଚ କରାଯିବା ସହ ବୋମା ନିଷ୍କ୍ରିୟକାରୀ ଦଳ, ସ୍ନିଫର ଡଗ୍ ସ୍କ୍ୱାଡ୍ ଏବଂ କ୍ୱିକ୍ ରିଆକ୍ସନ ଦଳକୁ ମଧ୍ୟ ସଜାଗ ରଖାଯାଇଛି । ସମ୍ବେଦନଶୀଳ ଅଞ୍ଚଳରେ ସନ୍ଦେହଜନକ କାର୍ଯ୍ୟକଳାପ, ଅନାବୃତ ବସ୍ତୁ ଏବଂ ପାର୍କିଂ ହୋଇଥିବା ଯାନବାହନ ଉପରେ କଡ଼ା ନଜର ରଖିବାକୁ ପୋଲିସକୁ ନିର୍ଦ୍ଦେଶ ଦିଆଯାଇଛି । ଏଥିସହ ସାଧାରଣ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି ।

