ଭଦ୍ରକ : ଟଙ୍କା ନଦେବାରୁ ଯୁବକଙ୍କୁ ପିଟି ପିଟି ହତ୍ୟା ଅଭିଯୋଗ । ସାଙ୍ଗମାନେ ପିଟି ପିଟି ହତ୍ୟା କରିଥିବା ଅଭିଯୋଗ । ବେଙ୍ଗାଳୁରୁ ହ୍ୱାଇଟ ଫିଲଡ ଅଞ୍ଚଳରେ ଘଟିଛି ଘଟଣା । ମୃତକ ଭଦ୍ରକ ଜିଲ୍ଲା ବାସୁଦେବପୁର ଅଞ୍ଚଳର ନାରାୟଣ ମଲ୍ଲିକଙ୍କ ପୁଅ ନିରାକାର ମଲ୍ଲିକ । ବେଙ୍ଗାଳୁରୁରେ ଜଣେ ପ୍ରବାସୀ ଶ୍ରମିକ ଭାବେ ଗୋଟିଏ ଘରୋଇ କମ୍ପାନୀରେ କାମ କରୁଥିଲେ । ସେ ବାହାରେ ଖାଇ କେବଳ କମ୍ପାନୀ ପକ୍ଷରୁ ଯୋଗାଇ ଦିଆଯାଇଥିବା ରୁମରେ ରହୁଥିଲେ ।
ତେବେ ନଖାଇଲେ ମଧ୍ୟ ମାସିକ ଖାଦ୍ୟ ବାବଦକୁ ଟଙ୍କା ଦେବାକୁ ତାଙ୍କ ସାଙ୍ଗମାନେ ତାଙ୍କୁ ବାଧ୍ୟ କରୁଥିଲେ । ଏଥିରେ ପ୍ରତିବାଦ କରିବାରୁ ସାଙ୍ଗମାନେ ତାଙ୍କୁ ବାଡେଇ ବାଡେଇ ମାରି ଦେଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକ । ପୁଅର ମୃତଦେହକୁ ନିଜ ଗାଁକୁ ଆଣିବା ସହ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନେଇ ଭଦ୍ରକ ଜିଲ୍ଲାପାଳଙ୍କ ଦ୍ୱାରସ୍ତ ହୋଇଛନ୍ତି ପରିବାରଲୋକ ।

