Airport

ଭୁବନେଶ୍ୱର: ବିମାନବନ୍ଦର ଏବେ ଡ୍ରଗ୍ସ ମାଫିଆଙ୍କ ନୂଆ ଟ୍ରାଞ୍ଜିଟ୍ ରୁଟ୍ ପାଲଟିଛି। ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦରରେ ଏକ ବଡ଼ ଧରଣର ନିଶାଦ୍ରବ୍ୟ ଚୋରାଚାଲାଣର ପର୍ଦ୍ଦାଫାଶ ହୋଇଛି। ଏୟାରପୋର୍ଟରୁ ପ୍ରାୟ ସାଢ଼େ ତିନି କୋଟି ଟଙ୍କାର ବିଦେଶୀ ମାରିଜୁଆନା ଜବତ କରିଛି ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ। ଏହି ଘଟଣାରେ ସମ୍ପୃକ୍ତ ଥିବା ୨ ଜଣ ଯାତ୍ରୀଙ୍କୁ ଅଟକ ରଖାଯାଇଛି।

ସୂଚନା ଅନୁଯାୟୀ, ଏକ ଇଣ୍ଡିଗୋ ଫ୍ଲାଇଟ୍ ଯୋଗେ ଦୁଇ ଜଣ ଯାତ୍ରୀ ବ୍ୟାଙ୍କକରୁ ଭୁବନେଶ୍ୱର ଆସିଥିଲେ। ସେମାନେ ନିଜ ସାଥିରେ ଆଣିଥିବା ଟ୍ରଲି ବ୍ୟାଗ୍ ଭିତରେ ଅତି ଚତୁରତାର ସହ ଏହି ନିଶାଦ୍ରବ୍ୟ ଲୁଚାଇ ଆଣୁଥିଲେ। ତେବେ ଡିଆରଆଇ ଅଧିକାରୀଙ୍କ ପାଖରେ ପୂର୍ବରୁ ଖବର ଥିଲା। ସେମାନେ ବିମାନବନ୍ଦରରେ ଛକି ରହିଥିଲେ। ଯାତ୍ରୀମାନେ ପହଞ୍ଚିବା କ୍ଷଣି ଟିମ୍ ସେମାନଙ୍କୁ କାବୁ କରିଥିଲା। ବର୍ତ୍ତମାନ ସେହି ଦୁଇ ଯାତ୍ରୀଙ୍କୁ ଅଟକ ରଖି ଘନଘନ ପଚରାଉଚରା କରାଯାଉଛି।

ଯାଞ୍ଚ ବେଳେ ଉକ୍ତ ଟ୍ରଲି ବ୍ୟାଗରୁ ୧୧ କିଲୋଗ୍ରାମ ଓଜନର ହାଇଡ୍ରୋପୋନିକ୍ ୱିଡ୍ ବା ଉନ୍ନତମାନର ମାରିଜୁଆନା ବାହାରିଥିଲା। ଆନ୍ତର୍ଜାତୀୟ ବଜାରରେ ଏହି ପ୍ରଜାତିର ନିଶାର ଚାହିଦା ବହୁତ ଅଧିକ ରହିଛି। ହିସାବ ଅନୁଯାୟୀ, ଏହାର ବଜାର ଦର କିଲୋ ପିଛା ପ୍ରାୟ ୩୫ ଲକ୍ଷ ଟଙ୍କା ଛୁଇଁବ। ତେଣୁ ଜବତ ହୋଇଥିବା ମୋଟ୍ ୧୧ କେଜି ମାରିଜୁଆନାର ମୂଲ୍ୟ ପାଖାପାଖି ୩ କୋଟି ୮୫ ଲକ୍ଷ (ପ୍ରାୟ ସାଢ଼େ ୩ କୋଟି) ଟଙ୍କା ହେବ ବୋଲି ଆକଳନ କରାଯାଇଛି।

ତେବେ ବ୍ୟାଙ୍କକରୁ ଭୁବନେଶ୍ୱର ଦେଇ ନିଶାଦ୍ରବ୍ୟ ଚୋରାଚାଲାଣ ହେବା ଏହା କୌଣସି ନୂଆ ଘଟଣା ନୁହେଁ। ଗତ ଜୁଲାଇ ମାସରେ ମଧ୍ୟ ଡିଆରଆଇ ଟିମ୍ ଏଠାରେ ଏକ ବଡ଼ ଚଢ଼ାଉ କରିଥିଲା। ସେହି ସମୟରେ ବିମାନବନ୍ଦରରୁ ୨୫ କେଜି ମାରିଜୁଆନା ଜବତ ହୋଇଥିଲା। ସେହି ଘଟଣାରେ ୩ ଜଣ ଯାତ୍ରୀଙ୍କୁ ବିଧିବଦ୍ଧ ଭାବେ ଗିରଫ କରାଯାଇଥିଲା।

ବାରମ୍ବାର ବ୍ୟାଙ୍କକରୁ ଭୁବନେଶ୍ୱରକୁ ଡ୍ରଗ୍ସ ଆସୁଥିବାରୁ ଏହା ପଛରେ ଏକ ବଡ଼ ଆନ୍ତର୍ଜାତୀୟ ରାକେଟ୍ କାମ କରୁଥିବା ସ୍ପଷ୍ଟ ହୋଇଛି। ଏବେ ଧରାପଡ଼ିଥିବା ଦୁଇ ଯାତ୍ରୀ କେବଳ ମୋହରା ନା ମାଷ୍ଟରମାଇଣ୍ଡ? ସେମାନେ କାହା ପାଇଁ ଏହି ଡ୍ରଗ୍ସ ଆଣୁଥିଲେ ଏବଂ ଭୁବନେଶ୍ୱରରୁ ଏହା କେଉଁଠିକୁ ଯାଇଥାନ୍ତା? ସେନେଇ ଡିଆରଆଇ ପକ୍ଷରୁ ଅଧିକ ଖୋଳତାଡ଼ ଜାରି ରହିଛି।

Share