ବାଲେଶ୍ଵର : ନ୍ୟାୟ ଦିଅ, ନହେଲେ କଙ୍କାଳ ପ୍ରତିବାଦ । ଚେତାବନୀ ଦେଲେ ବାଲେଶ୍ବର ଖଇରା ମୃତକଙ୍କ ପରିବାର। ଖଇରା ଥାନା ଅନ୍ତର୍ଗତ ହରିପୁର ଗାଁରେ ଜମିବାଡ଼ି ବିବାଦକୁ ନେଇ ଯେଉଁ ହତ୍ୟାକାଣ୍ଡ ଘଟିଥିଲା, ଆଜି ତାକୁ ୪ ଦିନ ପୂରିଛି । ହତ୍ୟା ମାମଲାରେ ମୃତକଙ୍କ ପରିବାର ପକ୍ଷରୁ ୫ରୁ ଅଧିକ ଲୋକଙ୍କ ନାଁରେ ଅଭିଯୋଗ ହୋଇଛି । କିନ୍ତୁ ପୋଲିସ କେବଳ ଜଣେ ମହିଳାଙ୍କୁ ଏପର୍ଯ୍ୟନ୍ତ ଗିରଫ କରିବାରେ ସମର୍ଥ ହୋଇଛି । ସମସ୍ତ ଅଭିଯୁକ୍ତଙ୍କୁ ଶୀଘ୍ର ଗିରଫ କରାନଗଲେ କେନ୍ଦୁଝର ଜିତୁମୁଣ୍ଡା ଭଳି ପ୍ରତିବାଦ ହେବ ବୋଲି ଚେତାବନୀ ଶୁଣାଇଛନ୍ତି ମୃତକଙ୍କ ପରିବାର ଲୋକ । ସମାଧି ଭିତରୁ ମୃତ ଶରୀର ବାହାର କରି କୋର୍ଟ ପର୍ଯ୍ୟନ୍ତ ଯିବେ ବୋଲି ଧମକ ଦେଇଛନ୍ତି।
ସୂଚନା ଅନୁସାରେ ହରିପୁର ଗ୍ରାମରେ ଘର ଛାତ ପକେଇବାକୁ ନେଇ ଜମିବାଡ଼ି ବିବାଦକୁ ନେଇ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଗଣ୍ଡଗୋଳରେ ମାନଶ ଜେନାଙ୍କ ପରିବାର ଲୋକ ସୁରେନ୍ଦ୍ର ସେଠୀଙ୍କ ପରିବାର ଲୋକଙ୍କୁ କୋଦାଳରେ ଆକ୍ରମଣ କରିଥିଲେ । ଫଳରେ ଘଟଣାସ୍ଥଳରେ ଆକ୍ରମଣରେ ସୁରେନ୍ଦ୍ରଙ୍କର ଭଉଣୀ କମଳା ସେଠୀଙ୍କ ମୃତ୍ୟୁ ହୋଇଥିଲା । ନ୍ୟାୟ ପାଇଁ ମହିଳାଙ୍କ ମୃତଦେହକୁ ୧୫ କିଲୋମିଟର ପର୍ଯ୍ୟନ୍ତ ସାଇକେଲରେ ବୋହିଥିଲେ ପରିବାର ।

