ଭଦ୍ରକ: ପେଟ୍ରୋଲ ପମ୍ପ୍ରେ ଘଣ୍ଟା ଘଣ୍ଟା ଧରି ଲାଇନ୍ରେ ଗ୍ରାହକ। ଗତ ରାତିଠାରୁ ରାଜ୍ୟର ସମସ୍ତ ଅଞ୍ଚଳରେ ଏପରି ସ୍ଥିତି ଦେଖିବାକୁ ମିଳିଛି। ରାଜ୍ୟରେ ପେଟ୍ରୋଲ ଓ ଡିଜେଲ ଅଭାବ ଉତ୍କଟ ରୂପ ନେଇଛି। ଲୋକମାନେ ନାହିଁ ନଥିବା ଅସୁବିଧା ଭୋଗିବା ସହ ଗାଡ଼ିରେ ତେଲ ପକାଇବା ପାଇଁ ଟାଙ୍କିକୁ ଟାଙ୍କି ଘୂରି ବୁଲିଛନ୍ତି। କେବଳ ରାଜଧାନୀ ନୁହେଁ ଭଦ୍ରକରେ ମଧ୍ୟ ଏଭଳି ସ୍ଥିତି ଦେଖିବାକୁ ମିଳିଛି। ଭଦ୍ରକରେ ପେଟ୍ରୋଲ ପକେଇବା ପାଇଁ ବିଭିନ୍ନ ପେଟ୍ରୋଲ ପମ୍ପରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ଏହାକୁ ଦେଖି ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପେଟ୍ରୋଲ ପମ୍ପ ଉପରେ ଚଢ଼ାଉ କରାଯାଇଛି।
ପେଟ୍ରୋଲ ପମ୍ପ ପକ୍ଷରୁ କରାଯାଇଥିବା କଟକଣା ନେଇ ଏହି ଚଢ଼ାଉ କରାଯାଇଥିବା ଜିଲ୍ଲା ପ୍ରଶାସନ ପକ୍ଷକୁ ସୂଚନା ମିଳିଛି। ଭଦ୍ରକ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ସିଭିଲ ସପ୍ଲାଏ ଟିମ୍, ଅତିରିକ୍ତ ଏସପି ଓ ଉପଜିଲ୍ଲାପାଳଙ୍କ ମିଳିତରେ ଏହି ଚଢାଉ କରାଯାଇଛି। ଜିଲ୍ଲାର ସମସ୍ତ ପେଟ୍ରୋଲ ପମ୍ପରେ ଯେପରି କୃତିମ ଉପାୟରେ କୌଣସି ତେଲ ଅଭାବ ସୃଷ୍ଟି କରାନଯାଉ ସେ ଉପରେ ନଜର ରଖାଯାଇଛି। ଯେଉଁ ସ୍ଥାନରେ ତେଲ ଅଭାବ ରହିଛି ସେହି ସ୍ଥାନରେ କିପରି ସୁବ୍ୟବସ୍ଥିତ ହୋଇପାରିବ ସେଥିପ୍ରତି ମଧ୍ୟ ନଜର ରଖାଯାଇଛି। ସାଧାରଣ ଲୋକେ ବିଚଳିତ ନହୋଇ ଯେତିକି ପରିମାଣର ତେଲ ଆବଶ୍ୟକ ସେତେକି ନେବାକୁ ପରାମର୍ଶ ଦେଇଛନ୍ତି ଜିଲ୍ଲାପାଳ।

