Ambulance

କଟକ : ରାଜ୍ୟରେ ସାଂଘାତିକ ହୋଇଛି ତୈଳ ସଙ୍କଟ । ବିଭିନ୍ନ ସ୍ଥାନରେ ହାହାକାର ପରିସ୍ଥିତି ଦେଖିବାକୁ ମିଳିଥିବା ବେଳେ ସାମ୍ନାକୁ ଆସିଛି ଏକ ହୃଦୟ ବିଦାରକ ଦୃଶ୍ୟ । ବ୍ରିଜ୍ ମଝିରେ ତେଲ ସରିଯିବାରୁ ଜଣେ ରୋଗୀଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । କଟକ କାଠଯୋଡି ବ୍ରିଜ ମଝିରେ ତେଲ ସରିଯିବାରୁ ଅଟକି ଯାଇଥିଲା ଆମ୍ବୁଲାନ୍ସ । ତେବେ ବ୍ରିଜ ମଝି ହୋଇଥିବାରୁ ତେଲର ବ୍ୟବସ୍ଥା ହୋଇପାରିନଥିଲା । ରୋଗୀ ଜଣଙ୍କ ସଙ୍କଟାପନ୍ନ ଥିବାରୁ ରୋଗୀଙ୍କ ଜୀବନ ଚାଲିଯାଇଥିଲା । ମୃତ ଯୁବକ ହେଉଛନ୍ତି ପ୍ରକାଶ କୁମାର ତାଣ୍ଡି ।  ରୋଗୀଙ୍କ ଘର କେନ୍ଦ୍ରାପଡା ବୋଲି ଜଣାପଡିଛି । ତାଙ୍କର ବିଷ କ୍ରିୟା ଜନିତ ଅସୁସ୍ଥତା ଥିଲା । କଟକ ବଡ ମେଡିକାଲରୁ ଭୁବନେଶରର ଏକ ଘରୋଇ ହସ୍ପିଟାଲକୁ ଚିକିତ୍ସା ପାଇଁ ଯାଉଥିଲା ଆମ୍ବୁଲାନ୍ସ ।  ତେଲ ଅଭାବ ଜନିତ କାରଣରୁ ସବୁ ପେଟ୍ରୋଲ ପମ୍ପ୍ ରେ ଅହେତୁକ ଭିଡ଼ ଦେଖିବାକୁ ମିଳିଛି । ତେଲ ପାଇଁ ଲୋକେ କିଲୋମିଟର ଧରି ଲାଇନ ରେ ଠିଆ ହୋଇଥିବା ଦେଖିବାକୁ ମିଳିଛି । ତେବେ ବାସ୍ତବରେ ଆମ୍ବୁଲାନ୍ସ ରେ ତେଲ ଥିଲା କି ଆମ୍ବୁଲାନ୍ସ ର କିଛି ଯାନ୍ତ୍ରିକ ତ୍ରୁଟି ଥିଲା ତାହା ତଦନ୍ତ ପରେ ଜଣାପଡିବ ।

Share