Sanjay lath

ଭୁବନେଶ୍ୱର: ରାଜ୍ୟରେ ଚାଲିଥିବା ପେଟ୍ରୋଲ ଓ ଡିଜେଲ ଅଭାବ ମଧ୍ୟରେ ଗ୍ରାହକଙ୍କ ପାଇଁ ଏକ ବଡ଼ ଆଶ୍ୱାସନାଜନକ ଖବର ଆସିଛି। ପେଟ୍ରୋଲ ପମ୍ପଗୁଡ଼ିକରେ ସୃଷ୍ଟି ହୋଇଥିବା ଅଭାବନୀୟ ଭିଡ଼ ଏବଂ କୃତ୍ରିମ ସଙ୍କଟକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ଆଣିବା ପାଇଁ ପ୍ରଶାସନ ଓ ତୈଳ କମ୍ପାନୀଗୁଡ଼ିକ ଯୁଦ୍ଧକାଳୀନ ଭିତ୍ତିରେ କାମ ଆରମ୍ଭ କରିଛନ୍ତି। ସ୍ଥିତିକୁ ସୁଧାରିବା ପାଇଁ ସାଧାରଣତଃ ଛୁଟି ରହୁଥିବା ଆସନ୍ତା ରବିବାର ଦିନ ମଧ୍ୟ ରାଜ୍ୟର ସମସ୍ତ ତେଲ ଡିପୋ ଖୋଲା ରଖିବାକୁ ନିଷ୍ପତ୍ତି ନିଆଯାଇଛି। ଆସନ୍ତାକାଲି ଅର୍ଥାତ୍ ରବିବାର ସନ୍ଧ୍ୟା ସୁଦ୍ଧା ବଜାରରେ ଇନ୍ଧନ ଯୋଗାଣ ସମ୍ପୂର୍ଣ୍ଣ ସ୍ୱାଭାବିକ ହୋଇଯିବ ବୋଲି ସରକାରୀ ସ୍ତରରେ ଆଶା ପ୍ରକଟ କରାଯାଇଛି।

ଏବେର ସ୍ଥିତି ସମ୍ପର୍କରେ ସୂଚନା ଦେଇ ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ ଲିମିଟେଡର ସିଜିଏମ୍ କମଳ ଶୀଲ କହିଛନ୍ତି ଯେ ଓଡ଼ିଶାରେ ପେଟ୍ରୋଲ ଓ ଡିଜେଲର କୌଣସି ଅଭାବ ନାହିଁ। ଗତ ଦୁଇ ଦିନ ଧରି ଗ୍ରାହକମାନେ ଆତଙ୍କିତ ହୋଇ ଅତ୍ୟଧିକ ପରିମାଣରେ ତେଲ କିଣିବା ଯୋଗୁଁ ହିଁ ଯୋଗାଣ ବ୍ୟବସ୍ଥା ଉପରେ ହଠାତ୍ ଅତିରିକ୍ତ ଚାପ ବଢ଼ିଯାଇଥିଲା। ଏହି ସମସ୍ୟାର ସମାଧାନ ପାଇଁ ଏବେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଆଗକୁ ଯେପରି ସବୁ ଜାଗାରେ ପର୍ଯ୍ୟାପ୍ତ ଷ୍ଟକ୍ ରହିବ, ତାହା ସୁନିଶ୍ଚିତ କରାଯିବ।

“ଲୋକଙ୍କୁ ଆମର ଅନୁରୋଧ, ଆପଣମାନେ ପମ୍ପ ଆଗରେ ଅଯଥା ଭୟଭୀତ ହୋଇ ଧାଡ଼ିରେ ରୁହନ୍ତୁ ନାହିଁ। ଯଦି କୌଣସି ଟାଙ୍କିରେ ଭିଡ଼ ଯୋଗୁଁ ୧ ବା ୨ ଘଣ୍ଟା ସମୟ ଲାଗୁଛି, ତେବେ ବିକଳ୍ପ ଭାବେ ପାଖରେ ଥିବା ଅନ୍ୟ ଟାଙ୍କିରୁ ତେଲ ପକାନ୍ତୁ। ସକାଳ ୬ଟାରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ସମସ୍ତ ପମ୍ପ ଖୋଲା ରହୁଛି।” ବୋଲି ଆଇଓସିଏଲ୍ ସିଜିଏମ୍ କମଳ ଶୀଲ କହିଛନ୍ତି।

ସେ ଆହୁରି ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ଓଡ଼ିଶାରେ ମୋଟ ୨୮୦୦ ପେଟ୍ରୋଲ ପମ୍ପ ରହିଛି। ସେଥିମଧ୍ୟରୁ ପ୍ରାୟ ୮୦ଟି ଟାଙ୍କି ବିଭିନ୍ନ ବ୍ୟକ୍ତିଗତ କିମ୍ବା ଆଇନଗତ କାରଣରୁ ବହୁ ପୂର୍ବରୁ ହିଁ ବନ୍ଦ ଥିଲା, ଯାହାର ବର୍ତ୍ତମାନର ସ୍ଥିତି ସହ କୌଣସି ସମ୍ପର୍କ ନାହିଁ। ଯେଉଁ ପେଟ୍ରୋଲ ପମ୍ପଗୁଡ଼ିକରେ ହଠାତ୍ ଚାହିଦା ଯୋଗୁଁ ତେଲ ଶେଷ ହୋଇଯାଇଛି, ସେଠାକୁ ସିଧାସଳଖ ଡିପୋରୁ ତୁରନ୍ତ ତେଲ ପହଞ୍ଚାଇବାକୁ ବ୍ୟବସ୍ଥା କରାଯାଉଛି। ପୂର୍ବ ଅପେକ୍ଷା ସ୍ଥିତିରେ ବଡ଼ ସୁଧାର ଆସିଛି ଏବଂ ଏବେ କୌଣସି ବଡ଼ ସମସ୍ୟା ନାହିଁ।

ଅନ୍ୟପଟେ, ଉତ୍କଳ ପେଟ୍ରୋଲ ଡିଜେଲ ଆସୋସିଏସନ୍ ସମ୍ପାଦକ ସଞ୍ଜୟ ଲାଠ ମଧ୍ୟ ଗ୍ରାହକମାନଙ୍କୁ ଆଶ୍ୱସ୍ତ କରିଛନ୍ତି। ସେ କହିଛନ୍ତି ଯେ ଲୋକଙ୍କ ‘ପ୍ୟାନିକ୍ ବାଇଂ’ ବା ଅହେତୁକ ବିକ୍ରି ବୃଦ୍ଧି ଯୋଗୁଁ ତେଲ ଯେଉଁ ରେଟ୍‌ରେ ଡିପୋରୁ ବାହାରି ପମ୍ପରେ ପହଞ୍ଚିବା କଥା, ତାହା ସଠିକ୍ ସମୟରେ ହୋଇପାରିନଥିଲା। ଏହି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ରବିବାର ଦିନ ମଧ୍ୟ ତୈଳ ଡିପୋଗୁଡ଼ିକୁ ଅପରେଟ୍ କରିବାକୁ ଅନୁରୋଧ କରାଯାଇଥିଲା, ଯାହାକୁ ଗ୍ରହଣ କରାଯାଇଛି।

ରବିବାର ସନ୍ଧ୍ୟା ସୁଦ୍ଧା କିମ୍ବା ସୋମବାର ସକାଳ ସୁଦ୍ଧା ସାରା ରାଜ୍ୟରେ ସ୍ଥିତି ସମ୍ପୂର୍ଣ୍ଣ ସ୍ୱାଭାବିକ ହୋଇଯିବ। ଏହା ସହିତ ଡିଲର ସଂଘ ଏବଂ ତୈଳ କମ୍ପାନୀଗୁଡ଼ିକ ପକ୍ଷରୁ ସମସ୍ତ ପେଟ୍ରୋଲ ପମ୍ପ ମାଲିକମାନଙ୍କୁ କଡ଼ା ତାଗିଦ୍ କରାଯାଇଛି। ରାଜ୍ୟର କୌଣସି ବି ସ୍ଥାନରେ ଯେପରି କଳାବଜାରୀ ବା କୃତ୍ରିମ ଅଭାବ ସୃଷ୍ଟି କରୁଥିବା ଲୋକଙ୍କୁ ପ୍ରୋତ୍ସାହନ ଦିଆନଯାଏ, ସେଥିପାଇଁ ସତର୍କ କରାଯାଇଛି। ଯଦି କୌଣସି ଅଭିଯୋଗ ଆସେ, ତେବେ ତୁରନ୍ତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
Share