ବଲାଙ୍ଗିର : ବଲାଙ୍ଗିର ଜିଲାରେ ବୃଦ୍ଧି ପାଇଥିବା ବେଆଇନ ବାଲି ଓ ଲଘୁ ଖଣିଜ ଦ୍ରବ୍ୟ ଚାଲାଣ ରୋକିବା ପାଇଁ ଜିଲାପାଳ ଓ ଏସ୍ପି ‘ମିଡ଼ ନାଇଟ୍ ଅପରେସନ’ କରିଛନ୍ତି। ଜିଲାର ପୁଇଁନ୍ତଲା, ଆଗଲପୁର, ଲୋଇସିଂହା ଓ ସଦର ଥାନା ଅଞ୍ଚଳର ବିଭିନ୍ନ ବାଲି ଘାଟ ଉପରେ ଜିଲାପାଳ ଗୌରବ ଶିବାଜୀ ଇସଲୱାର ଓ ଏସ୍ପି ଅଭିଳାଷ ଜୀ ରାତିଅଧରେ ଚଢ଼ଉ କରି ବାଲିମାଫିଆଙ୍କୁ ଗୋଡ଼ାଇ ଗୋଡ଼ାଇ ଧରିଛନ୍ତି। ଏହାସହ ୧୨ଟି ବାଲି ବୋଝେଇ ହାଇୱା, ୨ଟି ଟ୍ରାକ୍ଟର ସହ ବାଲି ଉତ୍ତୋଳନରେ ବ୍ୟବହୃତ ୨ଟି ଜେସିବି ମେସିନ ଜବତ କରାଯାଇଛି। ସେହିପରି ଏସ୍ପିଙ୍କ ନିର୍ଦେଶକ୍ରମେ ଟିଟିଲାଗଡ଼ ଓ ସଇଁନ୍ତଲା ଥାନା ପକ୍ଷରୁ ମଧ୍ୟ ରାତିଅଧିଆ ଚଢ଼ଉ କରାଯାଇ ୪ଟି ହାଇୱା ଜବତ କରାଯାଇଛି। ସମୁଦାୟ ୧୮ଜଣଙ୍କୁ ବିଭିନ୍ନ ଥାନାରେ ଅଟକ ରଖି ମାମଲା ରୁଜୁ ପରେ ୪୧ ନୋଟିସ ଦେଇ ଛଡ଼ା ଯାଇଛି। ଜବତ ହାଇୱା, ଜେସିବି ଓ ଟ୍ରାକ୍ଟର ଗୁଡ଼ିକର କାଗଜପତ୍ର ଯାଞ୍ଚ କରାଯାଉଛି। ଶୁକ୍ରବାର ରାତି ପ୍ରାୟ ୧୧ରୁ ଶନିବାର ଭୋର ପ୍ରାୟ ୫ଟା ପର୍ଯ୍ୟନ୍ତ ଏହି ଚଢ଼ଉ ଜାରି ରହିଥିଲା। ବଲାଙ୍ଗିର ଏସ୍ଡିପିଓ ସରୋଜ ଉପାଧ୍ୟାୟଙ୍କ ସହ ସମ୍ପୃକ୍ତ ଥାନା ଅଧିକାରୀ ଓ ପୁଲିସ ବଳ ଏହି ଚଢ଼ଉରେ ସାମିଲ ଥିଲେ।
ବଲାଙ୍ଗିର ସଦର ଥାନା ଅଞ୍ଚଳର ସୁକତେଲ ନଦୀ ସ୍ଥିତ ଗର୍ଜନ, କୁଟୁମଡୋଲା, ଚନ୍ଦନଭାଟି ନଦୀ ବାଲିଘାଟ ଉପରେ ରାତି ୧୧ରୁ ଭୋର୍ ୫ଟା ପର୍ଯ୍ୟନ୍ତ ଚଢ଼ଉ କରାଯାଇ ୨ଟି ହାଇୱା ଓ ୨ଟି ଟ୍ରାକ୍ଟର ଜବତ କରାଯାଇଥିଲା। ସଦର ଥାନା ଅଧିକାରୀ ରାଜକୁମାର ବିଶ୍ବାଳ ଓ ଥାନା କର୍ମଚାରୀ ଚଢ଼ଉରେ ସାମିଲ ଥିଲେ। ସେହିପରି ପୁଇଁନ୍ତଲା ଥାନା ଅଞ୍ଚଳର କୁଲଥିପାଲି, ଲୁକାପଡ଼ା, ବିଲେଇସର୍ଡ଼ା, ପିପିର୍ଡ଼ା ବାଲିଘାଟ ଉପରେ ଜିଲାପାଳ ଓ ଏସ୍ପି ଚଢ଼ଉ କରି ୫ ହାଇୱା, ଗୋଟିଏ ଜେସିବି ମେସିନ ଜବତ କରିଥିଲେ। ଆଗଲପୁର ଥାନା ରୋତ ଅଙ୍ଗନଦୀ ବାଲିଘାଟରେ ହୋଇଥିବା ଚଢ଼ଉରେ ୩ଟି ବାଲି ବୋଝେଇ ହାଇୱା ଜବତ କରାଯାଇଥିଲା। ସେହିପରି ଲୋଇସିଂହା ଥାନା ସାନଫାସଡ଼ ବାଲିଘାଟରେ ଜିଲାପାଳ ଓ ଏସ୍ପିଙ୍କ ନେତୃତ୍ବରେ ହୋଇଥିବା ଚଢ଼ଉରେ ୨ଟି ବାଲିବୋଝେଇ ହାଇୱା ଓ ଗୋଟିଏ ଜେସିବି ମେସିନ ଜବତ କରାଯାଇଥିଲା। ବେଆଇନ ବାଲି ଚାଲାଣ ଉପରେ ଜିଲାପାଳ ଓ ଏସ୍ପିଙ୍କ ମିଡ୍ ନାଇଟ ଅପରେସନ ପରେ ଜିଲାର ବାଲି ମାଫିଆଙ୍କ ମଧ୍ୟରେ କୋକୁଆ ଭୟ ଦେଖିବାକୁ ମିଳିଛି।
ସେହିପରି ବଲାଙ୍ଗିର ଏସ୍ପିଙ୍କ ନିର୍ଦେଶକ୍ରମେ ଟିଟିଲାଗଡ଼ ଏସ୍ଡିପିଓ ଯଶୋବନ୍ତ ପ୍ରଧାନୀ ଓ ଟିଟିଲାଗଡ଼ ଥାନା ଅଧିକାରୀ ମନୋଜ ମୁଣ୍ଡାଙ୍କ ନେତୃତ୍ବରେ ପୁଲିସ ଶୁକ୍ରବାର ରାତିରେ ଟିଟିଲାଗଡ଼ ଥାନା ମହଦା ବାଲିଘାଟ ଉପରେ ଚଢ଼ଉ କରିଥିଲା। ଘଟଣାସ୍ଥଳରୁ ୩ଟି ବାଲି ବୋଝେଇ ହାଇୱା ଜବତ ସହ ୩ ଚାଳକଙ୍କୁ ଥାନାରେ ଅଟକ ରଖାଯାଇଥିଲା। ଏହା ସହ ସଇଁନ୍ତଲା ଥାନା ଅଧିକାରୀ ଖଗପତି ବିଶ୍ବାଳଙ୍କ ନେତୃତ୍ବରେ ସଇଁନ୍ତଲା ପୁଲିସ ପକ୍ଷରୁ କୁଇକେଡ଼ା ସ୍ଥିତ ନଦୀ ବାଲିଘାଟରେ ଚଢ଼ଉ କରାଯାଇ ଗୋଟିଏ ବାଲିବୋଝେଇ ହାଇୱା ଜବତ ସହ ଚାଳକଙ୍କୁ ଥାନାରେ ଅଟକ ରଖା ଯାଇଥିଲା। ବେଆଇନ ବାଲି ଚାଲାଣ ଉପରେ ଜିଲାପାଳ ଓ ଏସ୍ପିଙ୍କ ଏଭଳି ଦୃଢ଼ କାର୍ଯ୍ୟାନୁଷ୍ଠାନ ଆଗାମୀ ଦିନରେ ମଧ୍ୟ ଜାରି ରହିଲେ ବେଆଇନ ବାଲି ସହ ଲଘୁ ଖଣିଜ ସମ୍ପଦର ଚାଲାଣ ଉପରେ ରୋକ ଲଗାଯାଇ ପାରିବ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି।
