କଙ୍ଗୋ : ହାଣ୍ଟାଭାଇରସ୍ ସଙ୍କଟ ମଧ୍ୟରେ କଙ୍ଗୋରେ ଇବୋଲା ଭାଇରସର ଆତଙ୍କ । ଇବୋଲା ଭାଇରସରେ ୮୦ ଜଣଙ୍କର ମୃତ୍ୟୁ ହୋଇଛି । ଯାହା ସ୍ବାସ୍ଥ୍ୟ ବିଭାଗର ଚିନ୍ତାକୁ ବଢାଇଦେଇଛି । ଏହାରି ମଧ୍ୟରେ ସମସ୍ତଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି WHO ସାର୍ବଜନୀନ ସ୍ବାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛି ।
ଇବୋଲା ଏକ ବିପଦଜନକ ଭୂତାଣୁ ଜନିତ ରୋଗ । ଏହା ବିରଳ । କିନ୍ତୁ ଏହି ସଂକ୍ରମଣ ବହୁତ ଗମ୍ଭୀର ହୋଇପାରେ । ଏହି ଭାଇରସ ସଂକ୍ରମିତ ବ୍ୟକ୍ତିଙ୍କ ଶରୀରର ରକ୍ତ, ବାନ୍ତି ଏବଂ ଝାଳଭଳି ତରଳ ପଦାର୍ଥ ସଂସ୍ପର୍ଶରେ ଆସିବା ଦ୍ବାରା ଏହା ଜଣଙ୍କଠାରୁ ଅନ୍ୟ ଜଣଙ୍କୁ ବ୍ୟାପିଥାଏ । ଏପର୍ଯ୍ୟନ୍ତ କୌଣସି ଟିକା କିମ୍ବା କୌଣସି ପ୍ରତିକାର ବାହାର କରାଯାଇନାହିଁ ।
ଅନ୍ୟପଟେ ଅନ୍ତର୍ଜାତୀୟ ସ୍ୱାସ୍ଥ୍ୟ ନିୟମାବଳୀ (IHR) ର ବ୍ୟବସ୍ଥା ଅନୁଯାୟୀ, WHO ନିର୍ଦ୍ଦେଶକ ଖୁବ୍ ଶୀଘ୍ର ଏକ ଜରୁରୀକାଳୀନ କମିଟି ବୈଠକ ଡାକିବେ । ଏହି ଭାଇରସର ମୁକାବିଲା କରିବା, ଏହାର ଭୟଙ୍କରତା ଏବଂ ପ୍ରସାରକୁ ବୁଝିବା ଏବଂ ସଫଳ ନିରୀକ୍ଷଣ ଏବଂ ନିରୋଧ ପ୍ରୟାସ ସୁନିଶ୍ଚିତ କରିବା ପାଇଁ ଅନ୍ତର୍ଜାତୀୟ ସମନ୍ୱୟର ଆବଶ୍ୟକତା ରହିଛି ।

