Bjp 2

ଭୁବନେଶ୍ୱର : ବିଜେପି କୋର କମିଟି ବୈଠକରେ ୨୦୩୬ ‘ବିକଶିତ ଓଡ଼ିଶା’ ପାଇଁ ପ୍ରସ୍ତୁତ ହେଲା ମାଷ୍ଟରପ୍ଲାନ୍ ।  ଉତ୍ତରଦାୟୀ ସରକାର ଓ ଶକ୍ତିଶାଳୀ ସଂଗଠନ ଉପରେ ଜୋର ଦିଆଯାଇଛି ।  ବୈଠକରେ ଯୋଗ ଦେବା ପରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନ କହିଛନ୍ତି, ସାଂଗଠନିକ ବିଷୟଗୁଡ଼ିକ ଉପରେ ସାର୍ଥକ ଆଲୋଚନା ହେଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାର୍ଗଦର୍ଶନ ଏବଂ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନେତୃତ୍ବରେ ଡବଲ ଇଂଜିନ ସରକାର ଓଡ଼ିଶାକୁ ବିକାଶର ଏକ ନୂଆ ଶିଖରକୁ ନେଇ ଯାଉଛନ୍ତି।

ବୈଠକ ପରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, ଓଡ଼ିଶାର ଶାସନ ବ୍ୟବସ୍ଥାକୁ ଅଧିକ ସ୍ୱଚ୍ଛ, ଦକ୍ଷ ଏବଂ ଜନକଲ୍ୟାଣକାରୀ କରିବା ପାଇଁ ରାଷ୍ଟ୍ରୀୟ ଅଧ୍ୟକ୍ଷ ସରକାର ଓ ସଂଗଠନ ଉଭୟଙ୍କ ପାଇଁ ଭିନ୍ନ ଭିନ୍ନ ରଣନୀତି ନିର୍ଦ୍ଧାରଣ କରିଛନ୍ତି। ୨୦୩୬ରେ ଓଡ଼ିଶା ଗଠନର ଶତବାର୍ଷିକୀ ଉତ୍ସବକୁ ଆଖିରେ ରଖି ରାଜ୍ୟକୁ ଅଗ୍ରଣୀ ଓ ସମୃଦ୍ଧ ରାଜ୍ୟରେ ପରିଣତ କରିବା ପାଇଁ ରାଷ୍ଟ୍ରୀୟ ଅଧ୍ୟକ୍ଷ ୫ ପ୍ରମୁଖ ଓ କାର୍ଯ୍ୟକାରୀ ସୂତ୍ର ଦେଇଛନ୍ତି। ଏହି ପାଞ୍ଚଟି ମନ୍ତ୍ର ଆଗାମୀ ଦିନରେ ଓଡ଼ିଶାର ପ୍ରଗତିର ମୂଳଦୁଆ ସାଜିବ।

ସେହିପରି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପ୍ରତ୍ୟେକ ଯୋଜନା ଯେପରି ସମାଜର ସବୁଠାରୁ ଗରିବ ଏବଂ ଶେଷ ଧାଡ଼ିରେ ଥିବା ବ୍ୟକ୍ତିଙ୍କ ପାଖରେ କୌଣସି ବାଧାବିଘ୍ନ ବିନା ପହଞ୍ଚିପାରିବ, ସେଥିପାଇଁ ପ୍ରଶାସନକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ସରକାରୀ ଯୋଜନାକୁ ଶେଷ ପ୍ରାନ୍ତରେ ଥିବା ଲୋକଙ୍କ ପାଖରେ ପହଞ୍ଚାଇବାକୁ ଦଳ ଓ ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା ଭାବେ ଘୋଷଣା କରାଯାଇଛି।

ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, ରାଜ୍ୟ ସରକାରଙ୍କ ବିଭିନ୍ନ ନିଗମରେ ଚାଲିଥିବା ନିଯୁକ୍ତି ପ୍ରକ୍ରିୟା ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଚଳିତ ମାସ ଶେଷ ସୁଦ୍ଧା ଏ ସମ୍ପର୍କିତ ସମସ୍ତ ବଡ଼ ଘୋଷଣା ପ୍ରକାଶ ପାଇବାର ସମ୍ଭାବନା ରହିଛି। ଆଗାମୀ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଗ୍ରାମାଞ୍ଚଳର ବିକାଶ ପାଇଁ ଏକ ସ୍ୱତନ୍ତ୍ର ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରାଯିବ।

ଯାହା ଦ୍ୱାରା ପ୍ରତ୍ୟେକ ଗାଁରେ ସରକାରୀ ସେବା ସହଜରେ ଉପଲବ୍ଧ ହୋଇପାରିବ। ବୈଠକ ଶେଷରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଦଳୀୟ କର୍ମୀ ଓ ନେତାମାନଙ୍କୁ କାର୍ଯ୍ୟ କରିବାର ନୂଆ ଜୋସ ସହ ସ୍ପଷ୍ଟ ସନ୍ଦେଶ ଦେଇଛନ୍ତି । କହିଛନ୍ତି ସଂଗଠନ ଓ ଲୋକଙ୍କ ସେବା ପାଇଁ ନିଜର ସର୍ବୋତ୍ତମ ଚେଷ୍ଟା କରନ୍ତୁ। କେବେ ବି ସ୍ୱଳ୍ପ ସଫଳତାରେ ସନ୍ତୁଷ୍ଟ ହୁଅନ୍ତୁ ନାହିଁ। ଆମର ଲକ୍ଷ୍ୟ ବହୁତ ବଡ଼ ରାଷ୍ଟ୍ରୀୟ ଅଧ୍ୟକ୍ଷ ବୋଲି ରାଷ୍ଟ୍ରୀୟ ଅଧ୍ୟକ୍ଷ କହିଛନ୍ତି  ।

ଏହା ପୂର୍ବରୁ  ଜଟଣୀସ୍ଥିତ ଏସିଆନ ଇନଷ୍ଟିଚ୍ୟୁଟ୍ ଅଫ୍ ପବ୍ଲିକ ହେଲଥ୍ ୟୁନିଭର୍ସିଟି କ୍ୟାମ୍ପସଠାରେ ଆୟୋଜିତ ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ସ୍ତରୀୟ ‘ପଣ୍ଡିତ ଦୀନଦୟାଲ ପ୍ରଶିକ୍ଷଣ ମହା-ଅଭିଯାନ ଶିବିର-୨୦୨୬’କୁ ଆନୁଷ୍ଠାନିକ ଭାବେ ଉଦ୍ ଘାଟନ କରିଛନ୍ତି ରାଷ୍ଟ୍ରୀୟ ଅଧ୍ୟକ୍ଷ ।  ୨୦୨୭ ପଞ୍ଚାୟତ ଓ ପୌର ନିର୍ବାଚନ ପୂର୍ବରୁ ଦଳର କ୍ୟାଡର ବେସ୍ କୁ ଆହୁରି ଶକ୍ତିଶାଳୀ ଓ ଆଦର୍ଶଗତ ଭାବେ ସୁଦୃଢ଼ କରିବା ପାଇଁ ଏହି ମେଗା କ୍ୟାମ୍ପର ଆୟୋଜନ କରାଯାଇଛି ।

ସମର୍ଥ କାର୍ଯ୍ୟକର୍ତ୍ତା ଓ ସଶକ୍ତ ସଂଗଠନ ଉପରେ ଗୁରୁତ୍ବ ଦିଆଯାଇଛି। ପ୍ରଶିକ୍ଷଣ ଶିବିରରେ କର୍ମୀମାନଙ୍କୁ ଜନସମ୍ପର୍କ ଶିକ୍ଷା, ବୁଥସ୍ତରୀୟ ପରିଚାଳନା ଓ ଡିଜିଟାଲ ଯୋଗାଯୋଗ ଶିକ୍ଷା ମଧ୍ୟ ଦିଆଯାଉଛି। ଦେଶବ୍ୟାପୀ ଚାଲିଥିବା ଅଭିଯାନ ଅଧୀନରେ ଓଡ଼ିଶାର ହଜାର ହଜାର ଦଳୀୟ କର୍ମୀଙ୍କୁ ଆଦର୍ଶଗତ ସ୍ପଷ୍ଟତା, ବୁଥ୍ ସ୍ତରୀୟ ପରିଚାଳନା, ଡିଜିଟାଲ୍ ଯୋଗାଯୋଗ ଏବଂ ଜନସମ୍ପର୍କର କଳା ଶିଖାଯାଉଛି। ଓଡ଼ିଶାରେ ମେ’ ମାସ ଆରମ୍ଭରୁ ଆବାସିକ ପ୍ରଶିକ୍ଷଣ ଶିବିର ଆରମ୍ଭ ହୋଇସାରିଛି।

ଉଦଘାଟନୀ ସଭାରେ ନୀତିନ ନବୀନ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ‘ଏକାତ୍ମ ମାନବବାଦ’ ଏବଂ ସମାଜର ଶେଷ ଧାଡ଼ିରେ ଥିବା ବ୍ୟକ୍ତିଙ୍କ ବିକାଶ ବା ‘ଅନ୍ତ୍ୟୋଦୟ’ ଆଦର୍ଶ ଉପରେ ଗୁରୁତ୍ୱ ଦେଇଛନ୍ତି। ଓଡ଼ିଶାରେ ପ୍ରଥମ ଥର ପାଇଁ ବିଜେପି ପୂର୍ଣ୍ଣ ବହୁମତରେ ସରକାର ଚଳାଉଥିବା ବେଳେ ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ଗସ୍ତ କର୍ମୀଙ୍କ ମନୋବଳକୁ ଦ୍ୱିଗୁଣିତ କରିଛି। ଆସନ୍ତା ଜୁନ୍ ୧୨ରେ ଓଡ଼ିଶାର ବିଜେପି ସରକାର ୨ ବର୍ଷ ପୂରଣ କରିବାକୁ ଯାଉଥିବା ବେଳେ ସରକାର ଓ ସଂଗଠନ ମଧ୍ୟରେ ଉତ୍ତମ ସମନ୍ୱୟ ରକ୍ଷା କରିବା ଏହି ଗସ୍ତର ମୂଳ ଲକ୍ଷ୍ୟ।

Share