ମସ୍କୋ: ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨ଟି କୋଠା ନଷ୍ଟ ହୋଇଯିବାରୁ ଗତରାତିରେ ମସ୍କୋସ୍ଥିତ ଏକ ଆନ୍ତର୍ଜାତିକ ବିମାନ ବନ୍ଦରକୁ ସ୍ବଳ୍ପ ସମୟ ପାଇଁ ବନ୍ଦ ରଖାଯାଇଥିବା କଥା ରୁଷ୍‌ ପ୍ରତିରକ୍ଷା ମନ୍ତ୍ରାଳୟ କହିଛି।

ପ୍ରତିରକ୍ଷା ମନ୍ତ୍ରାଳୟ କହିବା ଅନୁସାରେ, ମସ୍କୋ ଆକାଶରେ ଉଡୁଥିବା ୟୁକ୍ରେନ୍‌ର ୩ଟି ଡ୍ରୋନ୍‌କୁ ଗୁଳି ମାରି ଖସାଇ ଦିଆଯାଇଛି। ସେଥିରୁ ଗୋଟିଏ ଡ୍ରୋନ୍‌ ସହରର ଉପକଣ୍ଠରେ ପଡ଼ିଥିବା ବେଳେ ଆଉ ୨ଟି ଡ୍ରୋନ୍‌ ବୈଦ୍ୟୁତିକ ଅସ୍ତ୍ରଦ୍ବାରା ବାଧା ପାଇ ଗୋଟାଏ ଅଫିସ୍‌ ପରିସରରେ ଧକ୍କାଖାଇ ନଷ୍ଟ ହୋଇଯାଇଛି। ଏହି ଘଟଣାରେ କେହି ଆହତ ହୋଇନାହାନ୍ତି।

ସୂଚନାଯୋଗ୍ୟ, ୟୁକ୍ରେନ୍‌ ସୀମାନ୍ତଠାରୁ ମସ୍କୋ ଓ ତାହାର ଚତୁଃପାର୍ଶ୍ବସ୍ଥ ପରିସର ପ୍ରାୟ ୫୦୦ କିଲୋମିଟର୍‌ ଦୂରରେ ଅବସ୍ଥିତ। ଚଳିତ ବର୍ଷ ଅଳ୍ପ କେତୋଟି ଡ୍ରୋନ୍‌ ଆକ୍ରମଣକୁ ବାଦ ଦେଲେ ୟୁକ୍ରେନ୍‌ରେ ସଂଘର୍ଷ ହେବା ଦିନଠାରୁ ମସ୍କୋ ଉପରେ ପ୍ରାୟ ଡ୍ରୋନ୍‌ ଆକ୍ରମଣ କରାଯାଇ ନ ଥିଲା।

ସମ୍ବାଦ ସରବରାହ ସଂସ୍ଥାନ ‘ତାସ୍‌’ ରିପୋର୍ଟ ଅନୁସାରେ, ବିମାନ ଉଡ଼ାଣ ଓ ଅବତରଣ ନିମନ୍ତେ ରାଜଧାନୀର ଭ୍ନୁକୋଭୋ ବିମାନ ବନ୍ଦର ବନ୍ଦ ରଖାଯାଇଥିଲା। ଅବତରଣ କରିବା ଲାଗି ଆସୁଥିବା ବିମାନଗୁଡ଼ିକୁ ଅନ୍ୟ ବିମାନ ବନ୍ଦରକୁ ଯିବା ପାଇଁ ନିର୍ଦେଶ ଦିଆଯାଉଥିଲା।

ମସ୍କୋ ମେୟର୍‌ ସର୍ଗେଇ ସୋବିୟାନିନ୍‌ କରିଥିବା ‘ଟେଲିଗ୍ରାମ୍‌’ ପୋଷ୍ଟ୍‌ରେ ଲେଖିଛନ୍ତି: ରାତ୍ରୀକାଳୀନ ୟୁକ୍ରେନୀୟ ଡ୍ରୋନ୍‌ ଆକ୍ରମଣରେ ୨ଟି ଅଫିସ୍‌ ବ୍ଲକ୍‌ ନଷ୍ଟ ହୋଇଯାଇଛି। ସହରର ଦୁଇଟି ଅଫିସ୍‌ର ସମ୍ମୁଖ ଭାଗ ସାମାନ୍ୟ ନଷ୍ଟ ହୋଇଛି। ଏଥିରେ କେହି ଆହତ ହୋଇ ନାହାନ୍ତି।

ରୁଷ୍‌ ଏହାକୁ କିବ୍‌ ଶାସକଙ୍କ ଆତଙ୍କବାଦୀ ଆକ୍ରମଣ ଉଦ୍ୟମ ବୋଲି କହିଛି।

Share