ନୂଆଦିଲ୍ଲୀ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୨୦୨୬ ବର୍ଷ ପାଇଁ ପଦ୍ମ ପୁରସ୍କାର ପ୍ରଦାନ କରିଛନ୍ତି । ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ଉତ୍ସବରେ ୬୬ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ମାନିତ କରାଯାଇଛି । ୨୦୨୬ ମସିହାରେ ସ୍ୱର୍ଗତ ଅଭିନେତା ଧର୍ମେନ୍ଦ୍ର ଦେଓଲଙ୍କୁ ପ୍ରଥମେ ମରଣୋତ୍ତର ଭାବରେ ପଦ୍ମ ବିଭୂଷଣ ପ୍ରଦାନ କରାଯାଇଥିଲା । ତାଙ୍କ ପତ୍ନୀ, ଅଭିନେତ୍ରୀ ହେମା ମାଳିନୀ ଏହି ପୁରସ୍କାର ଗ୍ରହଣ କରିଥିଲେ । ସିନେମା ଜଗତରେ ତାଙ୍କର ଅତୁଳନୀୟ ଯୋଗଦାନ ଏବଂ ଅମୂଲ୍ୟ ସ୍ମୃତିକୁ ମନେ ପକାଇ ନାମ ଘୋଷଣା କରାଯିବା ବେଳେ ଉପସ୍ଥିତ ଥିବା ସମସ୍ତଙ୍କ ଆଖିରେ ଲୁହ ଆସିଯାଇଥିଲା ।
ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ମଧ୍ୟରେ ପଦ୍ମ ପୁରସ୍କାର ଚଳିତ ବର୍ଷ ଜାନୁଆରୀରେ ଘୋଷଣା କରାଯାଇଥିଲା। ରାଷ୍ଟ୍ରପତି ୨୦୨୬ ବର୍ଷ ପାଇଁ ମୋଟ ୧୩୧ ପଦ୍ମ ପୁରସ୍କାରକୁ ଅନୁମୋଦନ କରିଥିଲେ, ଯେଉଁଥିରୁ ଆଜି ୬୬ ଜଣ ବ୍ୟକ୍ତିତ୍ୱଙ୍କୁ ସମ୍ମାନିତ କରାଯାଇଛି । ଚଳିତ ବର୍ଷର ତାଲିକା ଅନୁଯାୟୀ, ମୋଟ ପାଞ୍ଚ ଜଣଙ୍କୁ ପଦ୍ମ ବିଭୂଷଣ, ୧୩ ଜଣଙ୍କୁ ପଦ୍ମ ଭୂଷଣ ଏବଂ ୧୧୩ ଜଣଙ୍କୁ ପଦ୍ମଶ୍ରୀରେ ସମ୍ମାନିତ କରାଯାଇଛି ।

