Puri beach

ପୁରୀ  : ଆସନ୍ତାକାଲି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ପୁରୀରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିବ ।  ପୁରୀ ବେଳାଭୂମିରେ ଶ୍ରଦ୍ଧାଳୁ ଏବଂ ପର୍ଯ୍ୟଟକଙ୍କ ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ପୁରୀ ପୁଲିସ ପକ୍ଷରୁ ଏକ Public Safety Notice ଜାରି କରାଯାଇଛି ।  ସ୍ନାନ ପୂର୍ଣ୍ଣିମା ସମୟରେ ଯେପରି କୌଣସି ଅପ୍ରୀତିକର ପରିସ୍ଥିତି ବା ଦୁର୍ଘଟଣା ନଘଟେ, ସେଥିପାଇଁ ପୁଲିସ ପ୍ରଶାସନ ବେଳାଭୂମିରେ କ’ଣ କରିବା ଉଚିତ ଓ କ’ଣ ଅନୁଚିତ, ତାହାର ଏକ ସୂଚୀ ପ୍ରସ୍ତୁତ କରିଛି ।

ପୁରୀ ଯାଉଥିବା ସମସ୍ତ ଯାତ୍ରୀ ଏବଂ ସ୍ଥାନୀୟ ଲୋକଙ୍କ ସୁରକ୍ଷା ପାଇଁ ଏହି ନିୟମାବଳୀକୁ ପାଳନ କରିବାକୁ ଅନୁରୋଧ କରାଯାଇଛି। ପୁରୀ ପୋଲିସ, ଲାଇଫ୍ ଗାର୍ଡ ଏବଂ ସ୍ୱେଚ୍ଛାସେବୀମାନଙ୍କ ଦ୍ୱାରା ଦିଆଯାଉଥିବା ସମସ୍ତ ସୁରକ୍ଷା ନିର୍ଦ୍ଦେଶକୁ ଅକ୍ଷର ଅକ୍ଷର ପାଳନ କରନ୍ତୁ। କେବଳ ଚିହ୍ନଟ କରାଯାଇଥିବା ସୁରକ୍ଷିତ ଜୋନ୍ ମଧ୍ୟରେ ହିଁ ସମୁଦ୍ର ସ୍ନାନ କରନ୍ତୁ।

ସମୁଦ୍ର କୂଳରେ ପିଲାମାନଙ୍କୁ କଦାପି ଏକା ଛାଡ଼ନ୍ତୁ ନାହିଁ, ସେମାନଙ୍କ ଉପରେ ସଦାସର୍ବଦା ନଜର ରଖନ୍ତୁ। ବେଳାଭୂମିକୁ ସଫା ରଖିବା ପାଇଁ କେବଳ ଡଷ୍ଟବିନ୍ ବ୍ୟବହାର କରନ୍ତୁ। ନିଜର ମୂଲ୍ୟବାନ ସାମଗ୍ରୀ ଓ ଜିନିଷପତ୍ରକୁ ସୁରକ୍ଷିତ ରଖନ୍ତୁ ଏବଂ ସର୍ବଦା ସତର୍କ ରୁହନ୍ତୁ। ଗରମକୁ ଦୃଷ୍ଟିରେ ରଖି ହାଲୁକା ପୋଷାକ ପିନ୍ଧନ୍ତୁ ଏବଂ ଶରୀରରେ ଜଳୀୟ ଅଂଶ ବଜାୟ ରଖିବା ପାଇଁ ପ୍ରଚୁର ପାଣି ପିଅନ୍ତୁ। ଯେକୌଣସି ସାହାଯ୍ୟ ପାଇଁ ତୁରନ୍ତ ୧୧୨ କିମ୍ବା ପର୍ଯ୍ୟଟକ ହେଲ୍ପଲାଇନ ନମ୍ବର ୬୩୭୦୯୬୭୧୦୦ରେ ଯୋଗାଯୋଗ କରନ୍ତୁ।

ସେହିପରି ସମୁଦ୍ରର ଗଭୀର ଜଳରାଶି କିମ୍ବା ନିଷିଦ୍ଧ ଅଞ୍ଚଳ ଭିତରକୁ ପ୍ରବେଶ କରିବାକୁ ବାରଣ କରାଯାଇଛି। ସମୁଦ୍ର ଅଶାନ୍ତ ଥିବା ସମୟରେ କିମ୍ବା ବିପଦ ସଙ୍କେତ ସ୍ୱରୂପ ‘ଲାଲ୍ ପତାକା’ ଲାଗିଥିଲେ ଆଦୌ ସମୁଦ୍ରକୁ ଗାଧୋଇବାକୁ ଓହ୍ଲାନ୍ତୁ ନାହିଁ। ବେଳାଭୂମି କିମ୍ବା ଏହାର ଆଖପାଖ ଅଞ୍ଚଳରେ ମଦ୍ୟପାନ କିମ୍ବା କୌଣସି ପ୍ରକାର ନିଶାଦ୍ରବ୍ୟ ସେବନ କରନ୍ତୁ ନାହିଁ। କୂଳରେ ଅଳିଆ ଆବର୍ଜନା ଏଣେତେଣେ ଫିଙ୍ଗନ୍ତୁ ନାହିଁ କିମ୍ବା ସାର୍ବଜନୀନ ସମ୍ପତ୍ତିର କ୍ଷତି ସାଧନ କରନ୍ତୁ ନାହିଁ। ଅତ୍ୟଧିକ ଭିଡ଼ ଥିବା କିମ୍ବା ଅସୁରକ୍ଷିତ ମନେହେଉଥିବା ସ୍ଥାନକୁ ଯାଆନ୍ତୁ ନାହିଁ। ମାଇକ୍ ଯୋଗେ କରାଯାଉଥିବା ସୁରକ୍ଷା ସମ୍ବନ୍ଧୀୟ ଘୋଷଣାକୁ ଆଦୌ ଅଣଦେଖା କରନ୍ତୁ ନାହିଁ ବୋଲି ପର୍ଯ୍ୟଟକଙ୍କୁ ଚେତାବନୀ ଦିଆଯାଇଛି।

Share