ଭୁବନେଶ୍ବର: ବଙ୍ଗୋପସାଗରରେ ସୃଷ୍ଟି ହେବ ଚଳିତ ସିଜିନ୍ ର ପ୍ରଥମ ବଡ଼ ଲଘୁଚାପ । ଜୁଲାଇ ୨ ରୁ ବଢ଼ିବ ବର୍ଷାର ପ୍ରକୋପ । ମୌସୁମୀ ପ୍ରବାହକୁ ଆହୁରି ସକ୍ରିୟ କରିବା ପାଇଁ ପ୍ରକୃତି ନିଜର ପ୍ରସ୍ତୁତି ଆରମ୍ଭ କରିଦେଇଛି । ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଆସନ୍ତା ଜୁଲାଇ ୨ ରୁ ୩ ତାରିଖ ମଧ୍ୟରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ ବଳୟ ସୃଷ୍ଟି ହୋଇପାରେ । ଚଳିତ ବର୍ଷ ମୌସୁମୀ ଋତୁର ଏହା ପ୍ରଥମ ପ୍ରମୁଖ ପାଣିପାଗ ପ୍ରକ୍ରିୟା ହେବ । ଯାହା ବର୍ଷାର ପରିମାଣକୁ ବେଶ୍ ବଢ଼ାଇଦେବ । ପାଣିପାଗ ବିଶେଷଜ୍ଞଙ୍କ ଅନୁମାନ ଅନୁଯାୟୀ, ଏହି ଲଘୁଚାପ ସୃଷ୍ଟି ହେବା ପରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି ଓଡ଼ିଶା, ଝାଡ଼ଖଣ୍ଡ ଏବଂ ଏହାର ଆଖପାଖ ଅଞ୍ଚଳ ଆଡ଼କୁ ମୁହାଁଇବ ।
ଏହା ପ୍ରଭାବରେ ଜୁଲାଇ ୧ ଏବଂ ୨ ତାରିଖରୁ ହିଁ ପାଗରେ ପରିବର୍ତ୍ତନ ଦେଖାଯିବ ଏବଂ ବର୍ଷାର ପ୍ରଭାବ ବୃଦ୍ଧି ପାଇବ । ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଭୁବନେଶ୍ୱର ସମେତ ଉପକୂଳ ଅଞ୍ଚଳରେ ତଳିଆ ସ୍ଥାନଗୁଡ଼ିକରେ ଜଳବନ୍ଦୀ ସମସ୍ୟା ଦେଖାଦେଇପାରେ। ଆଭ୍ୟନ୍ତରୀଣ ଓଡ଼ିଶାରେ ମଧ୍ୟ ଭଲ ବର୍ଷା ହେବ । ଓଡ଼ିଶା ବ୍ୟତୀତ ଗାଙ୍ଗେୟ ପଶ୍ଚିମବଙ୍ଗ, ବିହାର ଏବଂ ଝାଡ଼ଖଣ୍ଡର ଅନେକ ସ୍ଥାନରେ ମଧ୍ୟ ବ୍ୟାପକ ବର୍ଷାର ପୂର୍ବାନୁମାନ କରାଯାଇଛି । ତେବେ ଏହି ସିଷ୍ଟମକୁ ନେଇ ବ୍ୟସ୍ତ ହେବାର କୌଣସି କାରଣ ନାହିଁ ।
ବର୍ତ୍ତମାନର ଆକଳନ ଅନୁଯାୟୀ, ଏହା କେବଳ ଏକ ଲଘୁଚାପ କ୍ଷେତ୍ର ଭାବେ ରହିବ ଏବଂ ତୁରନ୍ତ ଅବପାତ ରୂପ ନେବାର କୌଣସି ସଙ୍କେତ ନାହିଁ । କିନ୍ତୁ ବିଜୁଳି ଘଡ଼ଘଡି ସହ ପ୍ରବଳ ବର୍ଷା ହୋଇପାରେ। ବର୍ତ୍ତମାନ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହା ବାୟୁମଣ୍ଡଳକୁ ପ୍ରଚୁର ପରିମାଣରେ ଜଳୀୟବାଷ୍ପ ଯୋଗାଉଛି । ଯାହା ଜୁଲାଇ ପ୍ରଥମ ସପ୍ତାହରେ ପୂର୍ବ ଏବଂ ମଧ୍ୟ ଭାରତରେ ମୌସୁମୀକୁ ଆହୁରି ମଜବୁତ କରିବ । ଏହି ବଙ୍ଗୋପସାଗରୀୟ ସିଷ୍ଟମ୍ ଯୋଗୁଁ ଜୁଲାଇରେ ଓଡ଼ିଶାରେ ସ୍ୱାଭାବିକ କିମ୍ବା ସ୍ୱାଭାବିକଠାରୁ ଅଧିକ ବର୍ଷା ହେବାର ଆଶା ରହିଛି ।

