ପୁରୀ: ସୋମବାର ରାତିରେ ପୁରୀର ଏକ ହୋଟେଲରେ ଥିବା ସୁଇମିଂ ପୁଲରେ ଗାଧୋଇବା ବେଳେ ବୁଡ଼ି ଗଲେ ଜଣେ ୨୫ ବର୍ଷୀୟା ଯୁବତୀ। ମୃତକ ହେଲେ ସୁମିତ୍ରା ମହାପାତ୍ର ଓରଫ ମାମା। ସେ ଗୌଡାବାଡା ସାହିର ବାସିନ୍ଦା। ପୁଲିସ ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ଶବ ଜବତ କରି ବ୍ୟବଚ୍ଛେଦ ଲାଗି ସଂରକ୍ଷଣ ଗୃହରେ ରଖିଛି ।
ବାଲିସାହିର ରାଜକୁମାର ସାହୁ (୩୩), ସବିତା ବେହେରା ଓ ମାମା ସୋମବାର ସକାଳେ ହୋଟେଲକୁ ଯାଇ ଏକ ରୁମ୍ ନେଇଥିଲେ । ଅପରାହ୍ଣରେ ସେମାନେ ହୋଟେଲ ପରିସରରେ ଥିବା ସୁଇମିଂପୁଲକୁ ଗାଧୋଇବା ଲାଗି ଯାଇଥିଲେ । ୩ ଜଣ ଗାଧୋଉଥିବା ବେଳେ ମାମା ସୁଇମିଂପୁଲର ଗଭୀର ପାଣି ପାର୍ଶ୍ବକୁ ଚାଲିଯାଇ ବୁଡ଼ିଯାଇଥିଲେ । ରାଜକୁମାର ଓ ସବିତା ଚିତ୍କାର କରିଥିଲେ । ସୁଇମିଂପୁଲ ସିକ୍ୟୁରିଟି ସମେତ ମିଳିତ ଭାବେ ମାମାଙ୍କୁ ପାଣିରୁ ଉଦ୍ଧାର କରି ଉପରକୁ ଆଣିଥିଲେ । ଗୁରୁତର ଅବସ୍ଥାରେ ଜିଲ୍ଲାମୁଖ୍ୟଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଚିକିତ୍ସା କରୁଥିବା ଡାକ୍ତର ମୃତ ଘୋଷଣା କରିଥିଲେ।

