Vigilance

କଟକ : ଭିଜିଲାନ୍ସ ଜାଲରେ ଦୁଇ ସରକାରୀ ଅଧିକାରୀ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିମସାର, ବୁର୍ଲାର ଦୁଇ ସରକାରୀ ବାବୁଙ୍କ ଏକାଧିକ ସ୍ଥାନରେ ଚଢ଼ଉ କରିଛି ଭିଜିଲାନ୍ସ । ସ୍ବମ୍ବଲପୁର ଭିଜିଲାନ୍ସର ସ୍ୱତନ୍ତ୍ର ବିଚାରପତି ଜାରି କରିଥିବା ସର୍ଚ୍ଚ ୱାରେଣ୍ଟ ବଳରେ ଦୁଇ ଅଧିକାରୀଙ୍କ ମୋଟ ୯ଟି ସ୍ଥାନରେ ଏକକାଳୀନ ତଲାସି ଚାଲିଛି । ସମ୍ପୃକ୍ତ ଦୁଇ ଅଧିକାରୀ ହେଉଛନ୍ତି ଭିମସାର ସୁପରିଣ୍ଟେଣ୍ଡେଣ୍ଟ କାର୍ଯ୍ୟାଳୟର ଷ୍ଟିୱାର୍ଡ ଅଶ୍ୱିନୀ ମେହେର ଓ ପ୍ରତିଷ୍ଠାନ ଅଧିକାରୀ-କମ୍-ଅଫିସ ସୁପରିଣ୍ଟେଣ୍ଡେଣ୍ଟ ଧନୁର୍ଦ୍ଧର ବିଶ୍ୱାଳ । ଅଶ୍ୱିନୀ ମେହେରଙ୍କ କ୍ଷେତ୍ରରେ ୫ ଜଣ ଡିଏସପି, ୫ ଜଣ ଇନ୍ସପେକ୍ଟର, ୩ ଜଣ ଏଏସଆଇ ଓ ଅନ୍ୟାନ୍ୟ କର୍ମଚାରୀଙ୍କୁ ନେଇ ଗଠିତ ଟିମ୍ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ୫ଟି ସ୍ଥାନରେ ଚଢ଼ଉ ଜାରି ରଖିଛନ୍ତି। ସେଥିରେ ବୁର୍ଲା ମେଡିକାଲ ଷ୍ଟାଫ୍ କଲୋନୀର ସରକାରୀ ବାସଭବନ, ସୌରଭ ବିହାରରେ ନିର୍ମାଣାଧୀନ ଚାରି ମହଲା କୋଠା, ପଠାନବନ୍ଧରେ ଥିବା ଏକ କୋଠା, ବରଗଡ଼ ଜିଲ୍ଲାର ଗୋବିନ୍ଦପାଲିରେ ଥିବା ଏକ କୋଠା ଏବଂ ତାଙ୍କ କାର୍ଯ୍ୟାଳୟ କକ୍ଷ ସାମିଲ ରହିଛି ।

ସେହିପରି ଧନୁର୍ଦ୍ଧର ବିଶ୍ୱାଳଙ୍କ ଚଢ଼ଉରେ ୨ ଡିଏସପି, ୫ ଇନ୍ସପେକ୍ଟର, ୩ ଜଣ ଏଏସଆଇ ଓ ଅନ୍ୟାନ୍ୟ କର୍ମଚାରୀଙ୍କୁ ନେଇ ଗଠିତ ଟିମ୍ ସମ୍ବଲପୁର ଜିଲ୍ଲାର ୪ଟି ସ୍ଥାନରେ ଚଢ଼ଉ ଜାରି ରଖିଛି । ଏଥିରେ ଧନକଉଡ଼ାରେ ଥିବା ଦୁଇ ମହଲା ବାସଭବନ, ଗୁଡେସିଙ୍ଗାରେ ଥିବା ଏକ କୋଠା, ଭିମସାର ମେଡିକାଲ ଷ୍ଟାଫ୍ କଲୋନୀର ସରକାରୀ କ୍ୱାର୍ଟର୍ସ ଓ ତାଙ୍କ କାର୍ଯ୍ୟାଳୟ କକ୍ଷରେ ତଲାସୀ ଚାଲିଛି । ତଲାସୀ ଶେଷ ହେବା ପରେ ଠାବ ହୋଇଥିବା ସମ୍ପତ୍ତି ଏବଂ ଅନ୍ୟାନ୍ୟ ତଥ୍ୟ ସମ୍ପର୍କରେ ସୂଚନା ଦିଆଯିବ ।

Share