ଭୁବନେଶ୍ଵର : ନିଟ୍ -ପିଜି ୨୦୨୬ ପରୀକ୍ଷା ପାଇଁ ପ୍ରକାଶ ପାଇଛି ବିଜ୍ଞପ୍ତି । ଆସନ୍ତା ଅଗଷ୍ଟ ୩୦ରେ ହେବ ପରୀକ୍ଷା । ଦେଶର ସମସ୍ତ ସରକାରୀ ଓ ବେସରକାରୀ ମେଡିକାଲ୍ କଲେଜରେ ପୋଷ୍ଟ ଗ୍ରାଜୁଏଟ୍ ପାଠ୍ୟକ୍ରମରେ ନାମଲେଖା ପାଇଁ ପ୍ରତିବର୍ଷ ଅନୁଷ୍ଠିତ ହେଉଥିବା ‘ନୀଟ୍ -ପିଜି ୨୦୨୬’ ପରୀକ୍ଷା ସୂଚୀ ପ୍ରକାଶ ପାଇଛି । ନ୍ୟାସନାଲ୍ ବୋର୍ଡ ଅଫ୍ ଏକ୍ସାମିନେସନ୍ସ ଇନ୍ ମେଡିକାଲ୍ ସାଇନ୍ସେସ୍ ପକ୍ଷରୁ ଜାରି ହୋଇଛି ସରକାରୀ ବିଜ୍ଞପ୍ତି ।
ସୂଚନା ଅନୁଯାୟୀ, ସାରା ଦେଶର ବିଭିନ୍ନ ପରୀକ୍ଷା କେନ୍ଦ୍ରରେ କମ୍ପୁଟର ଭିତ୍ତିକ ପ୍ଲାଟଫର୍ମ ମାଧ୍ୟମରେ ଏହି ପରୀକ୍ଷା ପରିଚାଳିତ ହେବ । ଏଥିପାଇଁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଗତକାଲି ଅପରାହ୍ନ ୫ଟାରୁ ଆରମ୍ଭ ହୋଇ ସାରିଛି । ଆସନ୍ତା ୨୧ ତାରିଖ ରାତି ୧୧ଟା ୫୫ ପର୍ଯ୍ୟନ୍ତ ଆଶାୟୀ ଛାତ୍ରଛାତ୍ରୀ ଫର୍ମ ପୂରଣ କରିପାରିବେ । ୧୧ ଅଗଷ୍ଟ ୨୦୨୬ରେ ପରୀକ୍ଷାର୍ଥୀଙ୍କୁ ସେମାନଙ୍କର ପରୀକ୍ଷା ସହର ସମ୍ପର୍କରେ ସୂଚନା ପ୍ରଦାନ କରାଯିବ । ସେପ୍ଟେମ୍ବର ୩୦ ସୁଦ୍ଧା ପରୀକ୍ଷା ଫଳ ଘୋଷଣା କରାଯିବ ବୋଲି ବୋର୍ଡ ସ୍ପଷ୍ଟ କରିଛି । ଶେଷ ତାରିଖ ପର୍ଯ୍ୟନ୍ତ ଅପେକ୍ଷା ନକରି ଆବେଦନ ପ୍ରକ୍ରିୟା ଶେଷ କରିବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦିଆଯାଇଛି । ପରୀକ୍ଷା ସମ୍ବନ୍ଧୀୟ ଯେକୌଣସି ପ୍ରଶ୍ନ କିମ୍ବା ସହାୟତା ପାଇଁ ପ୍ରାର୍ଥୀମାନେ NBEMS ର ଯୋଗାଯୋଗ ୱେବ୍ ପୋର୍ଟାଲର ସହାୟତା ନେଇପାରିବେ ।

