Low pressure

ଭୁବନେଶ୍ୱର:ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର। ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ପାର୍ଶ୍ୱବର୍ତ୍ତୀ ଉତ୍ତର ଓଡ଼ିଶା ଉପକୂଳ ନିକଟରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ସହ ଜଡ଼ିତ ଘୂର୍ଣ୍ଣିବଳୟ ସମୁଦ୍ର ପତନଠାରୁ ପ୍ରାୟ ୭.୬ କିଲୋମିଟର ଉଚ୍ଚତା ପର୍ଯ୍ୟନ୍ତ ବ୍ୟାପି ରହିଛି। ଆସନ୍ତା ୨ରୁ ୩ ଦିନ ମଧ୍ୟରେ ଲଘୁଚାପ ଆହୁରି ସକ୍ରିୟ ହୋଇ ସୁଦୃଢ଼ ଲଘୁଚାପ କ୍ଷେତ୍ରରେ ପରିଣତ ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ଏହାର ପ୍ରଭାବରେ ରାଜ୍ୟରେ ବର୍ଷାର ପ୍ରକୋପ ଜାରି ରହିବ। ଗତ ଦୁଇ ଦିନ ଧରି ରାଜ୍ୟର ବିଭିନ୍ନ ଅଞ୍ଚଳରେ ଲଗାଣ ବର୍ଷା ହେଉଥିବା ବେଳେ କେତେକ ସ୍ଥାନରେ ଅତି ପ୍ରବଳ ବର୍ଷା ରେକର୍ଡ କରାଯାଇଛି।

ଆଜି ସକାଳ ୮ଟା ସୁଦ୍ଧା ବରଗଡ଼ ଜିଲ୍ଲାର ଅମ୍ବାଭୋନାରେ ସର୍ବାଧିକ ୧୮୦ ମିଲିମିଟର ବର୍ଷା ହୋଇଛି। ସେହିପରି ସମ୍ବଲପୁର ଜିଲ୍ଲାର ଯୁଯୁମରାରେ ୧୩୦ ମିଲିମିଟର ଏବଂ ବରଗଡ଼ର ଅତାବିରାରେ ୧୨୦ ମିଲିମିଟର ବର୍ଷା ରେକର୍ଡ ହୋଇଛି। ଟ୍ୱିନ୍ ସିଟି ଭୁବନେଶ୍ୱର-କଟକରେ ମଧ୍ୟ ଲଗାଣ ବର୍ଷା ଜାରି ରହିଛି।ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ, ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷାର ପ୍ରଭାବ ଲାଗି ରହିବ। କେତେକ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ବଜ୍ରପାତର ଆଶଙ୍କା ଥିବାରୁ ସତର୍କତା ଜାରି କରାଯାଇଛି। ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି କନ୍ଧମାଳ ଜିଲ୍ଲାରେ ଦୁଇ ଦିନ ପାଇଁ ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ବନ୍ଦ ଘୋଷଣା କରାଯାଇଛି। ଆଜି ଓ ଆସନ୍ତାକାଲି ସ୍କୁଲ ଛୁଟି ରହିବ ବୋଲି ଜିଲ୍ଲାପାଳ ବେଦ ଭୂଷଣ ଘୋଷଣା କରିଛନ୍ତି।

Share