ଦୀର୍ଘ ୪ ଘଣ୍ଟା ଧରି ତାଙ୍କୁ ସେହି ଅଫିସ୍ ଭିତରେ ବନ୍ଦୀ କରି ରଖାଯାଇଥିଲା ବୋଲି ସାଂସଦ ଦାବି କରିଛନ୍ତି। ଫେସବୁକ୍ ଲାଇଭ୍ରେ ଦଳୀୟ ପତାକା ଧରି ମହୁଆ କହିଛନ୍ତି ଯେ, “ଏମାନେ କୌଣସି ସାଧାରଣ ଲୋକ ନୁହଁନ୍ତି, ଏମାନେ ସମସ୍ତେ ବିଜେପିର କର୍ମୀ। ରାଜ୍ୟରେ ଆଇନ ଶୃଙ୍ଖଳା ସମ୍ପୂର୍ଣ୍ଣ ଭୁସୁଡ଼ି ପଡ଼ିଛି ଏବଂ ମୋ ଉପରେ ଏଭଳି ଆକ୍ରମଣ ପାଇଁ ବିଜେପି ଯୋଜନା କରିଥିଲା।” ଏଥିସହ ପୋଲିସ ଏବଂ ସୁରକ୍ଷାକର୍ମୀମାନେ ନୀରବ ଦର୍ଶକ ସାଜିଥିଲେ ବୋଲି ସେ ଅଭିଯୋଗ ଆଣିଛନ୍ତି।
ଅନ୍ୟପକ୍ଷରେ କ୍ରିଷ୍ଣାନଗର ଏସ୍ପି ପୋଲିସର ନିଷ୍କ୍ରିୟତା ଅଭିଯୋଗକୁ ଖଣ୍ଡନ କରି କହିଛନ୍ତି ଯେ ଖବର ପାଇବା ମାତ୍ରେ ପୋଲିସ ଏବଂ କେନ୍ଦ୍ରୀୟ ସୁରକ୍ଷା ବଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ସନ୍ଧ୍ୟା ପ୍ରାୟ ୬ଟା ସମୟରେ ବୁଝାସୁଝା ପରେ ବିକ୍ଷୋଭକାରୀଙ୍କୁ ହଟାଇ ଦିଆଯାଇଥିଲା ଏବଂ ସାଂସଦଙ୍କୁ ସୁରକ୍ଷିତ ଭାବେ ବାହାରକୁ ଅଣାଯାଇଥିଲା। ବିଜେପି ପକ୍ଷରୁ ଏହି ଅଭିଯୋଗ ଉପରେ ଏଯାବତ୍ କୌଣସି ଆନୁଷ୍ଠାନିକ ପ୍ରତିକ୍ରିୟା ଦିଆଯାଇନାହିଁ।
ସୂଚନାଯୋଗ୍ୟ ଯେ, ଗତ ଜୁନ୍ ୧୩ ତାରିଖରେ ମଧ୍ୟ କ୍ରିଷ୍ଣାନଗର କୋର୍ଟ ବାହାରେ ବିଜେପି ମହିଳା ମୋର୍ଚ୍ଚା କର୍ମୀମାନେ ମହୁଆ ମୋଇତ୍ରାଙ୍କ ଉପରକୁ ଅଣ୍ଡାମାଡ଼ କରିବାକୁ ଉଦ୍ୟମ କରିଥିଲେ। ମାସକ ଭିତରେ ତାଙ୍କ ଉପରେ ଏଭଳି ଦ୍ୱିତୀୟ ଥର ଆକ୍ରମଣ ହୋଇଥିବାରୁ ପଶ୍ଚିମବଙ୍ଗ ରାଜନୀତିରେ ଉଷ୍ମତା ଦେଖିବାକୁ ମିଳିଛି। ଟିଏମସି ନେତା ଅଭିଷେକ ବାନାର୍ଜୀ ମଧ୍ୟ ଏହି ଆକ୍ରମଣକୁ ନିନ୍ଦା କରିବା ସହ ଜଣେ ନିର୍ବାଚିତ ସାଂସଦଙ୍କ ସୁରକ୍ଷା ବ୍ୟବସ୍ଥାକୁ ନେଇ ଗମ୍ଭୀର ପ୍ରଶ୍ନ ଉଠାଇଛନ୍ତି।

