ପର୍ଯ୍ୟବେକ୍ଷକମାନଙ୍କର ଗସ୍ତ ସୂଚୀ, ଟେଲିଫୋନ/ମୋବାଇଲ୍ ନମ୍ବର ଇତ୍ୟାଦି ସମ୍ପୃକ୍ତ ଜିଲ୍ଲାଗୁଡ଼ିକରେ ବ୍ୟାପକ ଭାବେ ପ୍ରଚାର ଓ ପ୍ରସାର କରାଯିବ, ଯେପରି ସାଧାରଣ ଲୋକେ ସହଜରେ ଯୋଗାଯୋଗ କରିପାରିବାର ସୁଯୋଗ ପାଇବେ। ଯେଉଁ ବିଧାନସଭା ମଣ୍ଡଳୀଗୁଡ଼ିକରେ ଭୋଟରଙ୍କ ନାମ ବାଦ୍ ପଡ଼ିବା(Deletion) କିମ୍ବା ନୂଆ ନାମ ସଂଯୋଗ ହେବା (Addition) ର ହାର ଜିଲ୍ଲାର ହାରାହାରି ତୁଳନାରେ ୧% ରୁ ଅଧିକ ଥିବ କିମ୍ବା କୌଣସି ନିର୍ଦ୍ଦିଷ୍ଟ ନିର୍ବାଚନ ମଣ୍ଡଳୀରେ ଏହା ୩% ରୁ ଅଧିକ ଥିବ, ସେଠାରେ ଜିଲ୍ଲା ନିର୍ବାଚନ ଅଧିକାରୀ ଙ୍କ ଦ୍ୱାରା ଦାଖଲ କରାଯାଇଥିବା ରିପୋର୍ଟ ଓ କାରଣକୁ ପର୍ଯ୍ୟବେକ୍ଷକମାନେ ବ୍ୟକ୍ତିଗତ ଭାବେ ତୀକ୍ଷ୍ଣ ଯାଞ୍ଚ କରିବେ।
କ୍ଷେତ୍ର ପରିଦର୍ଶନ ଏବଂ ସମୀକ୍ଷା ପରେ ସମସ୍ତ ପର୍ଯ୍ୟବେକ୍ଷକ ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟକୁ ଏକ ବିସ୍ତୃତ ରିପୋର୍ଟ ପଠାଇବେ। ଯାହା ଫଳରେ କେହି ଜଣେ ବି ଯୋଗ୍ୟ ଭୋଟର ତାଲିକାରୁ ବାଦ୍ ପଡିବେ ନାହିଁ ଓ ଅଯୋଗ୍ୟ ଭୋଟର ସାମିଲ ହେବେ ନାହିଁ। ସମସ୍ତ ପ୍ରକ୍ରିୟା ସ୍ୱଚ୍ଛତାର ସହିତ ହେବ ତା ଉପରେ ମୁଖ୍ୟ ନିର୍ବାଚନ ଅଧିକାରୀ ଗୁରୁତ୍ୱାରୋପ କରିଛନ୍ତି। ସେହିପରି ସ୍ୱତନ୍ତ୍ର ସଘନ ସଂଶୋଧନ-୨୦୨୬ ର ପରିଗଣନା ଫର୍ମ ବଣ୍ଟନ ଓ ସଂଗ୍ରହ କାର୍ଯ୍ୟର ସମାପ୍ତି ପରେ ଚିଠା ଭୋଟର ତାଲିକା ଆସନ୍ତା ଜୁଲାଇ ୦୫ ତାରିଖରେ ପ୍ରକାଶ କରାଯିବ।
ଚିଠା ଭୋଟର ତାଲିକା ପ୍ରକାଶ ପାଇଲା ପରେ କୌଣସି ପ୍ରକାରର ଆପତ୍ତି କିମ୍ବା ଅଭିଯୋଗ ଥିଲେ, ୦୫ ଜୁଲାଇ ରୁ ୦୪ ଅଗଷ୍ଟ ୨୦୨୬ ମଧ୍ୟରେ ଆପତ୍ତି ଦାଖଲ କରାଯାଇପାରିବ। ୦୫ ଜୁଲାଇ ପରେ ଯଦି ଚିଠା ଭୋଟର ତାଲିକାରେ କୌଣସି ତ୍ରୁଟି ପରିଲଖିତ ହୁଏ, ଫର୍ମ-୬ (Form 6)-ମାଧ୍ୟମରେ ନୂତନ ନାମ ଯୋଡ଼ିପାରିବେ, ଫର୍ମ-୭ (Form 7) ଦେଇ ଭୋଟର ତାଲିକାରୁ ନାମ ବାଦ୍ ଓ ଫର୍ମ-୮ (Form 8) ମାଧ୍ୟମରେ ଯେକୌଣସି ପ୍ରକାରର ସଂଶୋଧନ କରିପାରିବେ।

