ଭୁବନେଶ୍ୱର: ଖଣି ଓ ଖଣିଜ ଦ୍ରବ୍ୟ ବିକାଶ ଓ ନିୟନ୍ତ୍ରଣ ଆଇନ (ସଂଶୋଧନ) ସମ୍ପର୍କରେ ବିରୋଧୀ ଦଳ ପୁଣି ଥରେ ଗର୍ଜିଛନ୍ତି। ଏହି ପ୍ରସଙ୍ଗରେ ସରକାରଙ୍କ ଆଭିମୁଖ୍ୟ ଓ ପଦକ୍ଷେପକୁ ନେଇ ବିଜେଡି ନେତ୍ରୀ ସୁଜାତା ରାଉତ ପ୍ରଶ୍ନ ଉଠାଇଛନ୍ତି। ଲୋକଙ୍କ ସ୍ୱାର୍ଥ ଓ ରାଜ୍ୟର ହିତକୁ ଗୁରୁତ୍ୱ ଦେଇ ସରକାର ସ୍ପଷ୍ଟ ଆଭିମୁଖ୍ୟ ରଖିବା ଆବଶ୍ୟକ ବୋଲି ଭିଡିଓ ବାର୍ତ୍ତାରେ କହିଛନ୍ତି ସୁଜାତା।
ସେ କହିଛନ୍ତି ଯେ, ସୁପ୍ରିମ୍ କୋର୍ଟ ରାୟ ଦେଇଥିଲେ ଯେ ରାଜ୍ୟଗୁଡ଼ିକର ନିଜ ଅଞ୍ଚଳରେ ଥିବା ଖଣିଜ ସମ୍ପଦ ଏବଂ ଖଣିଜ ଜମି ଉପରେ ଟିକସ ଲଗାଇବାର ସମ୍ପୂର୍ଣ୍ଣ ସାମ୍ବିଧାନିକ ଅଧିକାର ରହିଛି । ଏହି ରାୟ ବଳରେ ଓଡ଼ିଶା ଭଳି ଖଣିଜ ପ୍ରଚୁର ରାଜ୍ୟ ସରକାର ହଜାର ହଜାର କୋଟି ଟଙ୍କାର ରାଜସ୍ୱ ପାଇବାର ସୁଯୋଗ ସୃଷ୍ଟି ହୋଇଥିଲା । ଏହି ଅର୍ଥ ରାଜ୍ୟର ବିକାଶ, ସ୍ୱାସ୍ଥ୍ୟ, ଶିକ୍ଷା ଓ ଅନ୍ତରୀଣ ଭିତ୍ତିଭୂମି ନିର୍ମାଣରେ ବ୍ୟବହାର ହୋଇପାରିଥାନ୍ତା । ହେଲ MMDR ସଂଶୋଧନ ବିଲ୍ ଅନୁଯାୟୀ, ରାଜ୍ୟଗୁଡ଼ିକ ଖଣିଜ ସମ୍ପଦ ଓ ଖଣିଜ ଜମି ଉପରେ ନିଜସ୍ୱ କର କ୍ଷମତାକୁ ସଙ୍କୁଚିତ କରାଯାଇଛି। ସେହିପରି ନିଷ୍ପତ୍ତି ନେବା ବେଳେ ସାଧାରଣ ଲୋକଙ୍କ ସ୍ୱାର୍ଥକୁ ପ୍ରାଥମିକତା ଦେବାକୁ ସେ ଦାବି କରିଛନ୍ତି।
ସେପଟେ ସୁଜାତାଙ୍କ ଦାବିର ଜବାବ ରଖିଛନ୍ତି ବିଜେପି ବିଧାୟକ ଅଶୋକ ମହାନ୍ତି । ଅଶୋକଙ୍କ କହିବା ଅନୁସାରେ, ଦଳକୁ ଚଳଚଞ୍ଚଳ କରିବା ପାଇଁ ବିଜେଡି ବିଧାନସଭା ବନ୍ଦ ଏଜେଣ୍ଡା ନେଇଛି । ସୁଜାତା ଖଣି ପ୍ରସଙ୍ଗ ଉଠାଉଥିବା ବେଳେ ବିଜେଡି ବିଧାୟକମାନେ ବହି ତ୍ରୁଟି ପ୍ରସଙ୍ଗରେ ଆଲୋଚନା ଦାବି କରୁଥିବା ସେ କହିଛନ୍ତି । ବହି ତ୍ରୁଟି ପ୍ରସଙ୍ଗରେ ଆଲୋଚନା ପାଇଁ ସରକାର ପ୍ରସ୍ତୁତ ଏବଂ ବିରୋଧୀଙ୍କ ପ୍ରଶ୍ନର ଉତ୍ତର ଦେବାକୁ ମଧ୍ୟ ସରକାର ପ୍ରସ୍ତୁତ ବୋଲି ଅଶୋକ କହିଛନ୍ତି । ବିଧାନସଭାର ମୂଲ୍ୟବାନ ସମୟ ନଷ୍ଟ ନକରି ନେତାମାନଙ୍କ ମଧ୍ୟରେ ସମନ୍ୱୟ ରଖିବାକୁ ସେ ଆହ୍ୱାନ ଦେଇଛନ୍ତି ।
