ଗିରଫ ଅଭିଯୁକ୍ତମାନେ ହେଲେ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବଡାମକୁରାଢ଼ୀ ଗ୍ରାମର ଲୋକୁ ଓରଫ୍ ସେକ୍ ରାଜାଉଦ୍ଦିନ (୨୩)। ରାଜାଉଦ୍ଦିନ ନିକଟରୁ ବନ୍ଧୁକ ଓ ଗୁଳି ଜବତ କରାଯାଇଛି। ଅନ୍ୟମାନେ ହେଲେ, ବାଦାମପାହାଡ଼ ଥାନା ଅନ୍ତର୍ଗତ ଦେଓଗାଁ ଗ୍ରାମର ଜଗା ଓରଫ୍ ଜଗତଜିତ ମହାନ୍ତ (୨୦)। ଜଗା ନାମରେ ରାଇରଙ୍ଗପୁର ଟାଉନ୍, ଗ୍ରାମାଞ୍ଚଳ, ବହଳଦା ଏବଂ ରରୁଆଁ ଥାନାରେ ପୋକ୍ସୋ, ଡକାୟତି, ରାହାଜାନୀ ଏବଂ ଚୋରି ଭଳି ପ୍ରାୟ ୧୧ଟିରୁ ଊର୍ଦ୍ଧ୍ୱ ସଙ୍ଗିନ ମାମଲା ରହିଛି। ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବଡ଼ାମକୁରାଢ଼ୀ ଗ୍ରାମର ଘାଗର ଓରଫ୍ ସେକ୍ ସଫରୁଦ୍ଦିନ (୨୪)। ଘାଗରଙ୍କ ବିରୋଧରେ କେନ୍ଦୁଝର ରାମଚନ୍ଦ୍ରପୁର ଥାନାରେ ବୋଲେରୋ ଚୋରି ମାମଲା, କେନ୍ଦୁଝର ଟାଉନ୍ ଥାନାରେ ଗୋ-ଚାଲାଣ ଓ ଚୋରି ସହ ରାଇରଙ୍ଗପୁର ଥାନାରେ ଏକାଧିକ ମାମଲା ରହିଛି। ଝାରପୋଖରିଆ ଥାନା ଅନ୍ତର୍ଗତ ଡୁମୁରିଆ ଗ୍ରାମର ରାଜା ବେହେରା (୧୯) ନାମରେ ଝାରପୋଖରିଆ (କେସ୍ ନଂ- ୪୧/୨୪ ଏବଂ ବିଶୋଇ ଥାନାରେ କେସ୍ ନଂ- ୨୩୯/୨୩ ଚୋରି ଓ ଡକାୟତି ଯୋଜନା ମାମଲା ରହିଛି। ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ମୁସାବଣି ତଥା ଝାଡ଼ଖଣ୍ଡ ରାଜ୍ୟ ପୂର୍ବ ସିଂହଭୂମ ଜିଲ୍ଲା ଆନନ୍ଦପୁର ଗ୍ରାମର ଜୟୀ ସିଟ୍ (୨୫), ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ବଡାମକୁରାଢ଼ୀ ଗ୍ରାମର ସେକ୍ ଅଜମଲ ଓରଫ୍ ଅଜମତ (୩୨), ମହମ୍ମଦ ଅରବାଜ ସାଇ (୨୧), ଝାଡ଼ଖଣ୍ଡ ରାଜ୍ୟ ପୂର୍ବ ସିଂହଭୂମ ମହୁଲବସା ଗ୍ରାମର ସେକ୍ ୱାହିଦ (୨୬) ପ୍ରମୁଖ। ସେହିପରି ଆଉ ଜଣକୁ ଅଟକ ରଖାଯାଇଛି। ଅନୁସନ୍ଧାନ ଚାଲିଥିବାରୁ ଅଭିଯୁକ୍ତଙ୍କ ସମ୍ପର୍କରେ ପୁଲିସ ବିଷଦ ବିବରଣୀ ଦେଇନାହିଁ। ତେବେ ଏହି ଘଟଣାରେ ବହଳଦା ଥାନାରେ କେସ୍ ନଂ- ୧୮୦/୨୬ ଅନୁଯାୟୀ ମାମଲା ରୁଜୁ କରି ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।
ରାଇରଙ୍ଗପୁର: ବହଳଦା ଅଞ୍ଚଳରେ ଦୁଇଟି ପୃଥକ ସ୍ଥାନରେ ପୁଲିସ ଟିମ୍ ସମନ୍ବିତ ଭାବେ ଚଢ଼ାଉ କରି ଡକାୟତି ଉଦ୍ୟମକୁ ପଣ୍ଡ କରିଛନ୍ତି। ଏହି ଚଢ଼ାଉରେ ବିଭିନ୍ନ ଅପରାଧିକ ମାମଲାରେ ଜଡ଼ିତ ଥିବା ୯ ଜଣ ପେଷାଦାର ଅପରାଧୀଙ୍କୁ ଗିରଫ କରାଯାଇଛି। ଆଜି ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ପୁଲିସ ସୂଚନା ଦେଇଛି। ଏହି ସମ୍ମିଳନୀରେ ରାଇରଙ୍ଗପୁର ଏସଡିପିଓ ବିରେନ୍ଦ୍ର ସେନାପତି, ରାଇରଙ୍ଗପୁର ଟାଉନ୍ ଥାନା ଅଧିକାରୀ ରଞ୍ଜନ କୁମାର ସେଠି, ବହଳଦା ଥାନା ଅଧିକାରୀ ଭାସ୍କର ପ୍ରଧାନ, ଜାମଦା ଥାନା ଅଧିକାରିଣୀ ସାବିତ୍ରୀ ଦୋଳେଇ ଏବଂ ବିଭିନ୍ନ ଥାନାର ପୁଲିସ ଅଧିକାରୀ ଉପସ୍ଥିତ ଥିଲେ ।
ସୂଚନାନୁସାରେ, ୧୦ ଅକ୍ଟୋବର ରାତି ପ୍ରାୟ ୧୧ଟା ୩୦ ମିନିଟ୍ ସମୟରେ ଗମ୍ଭାରିଆ ରାବଣ ପୋଡ଼ି ପଡ଼ିଆ ନିକଟ ଏକ ନିଛାଟିଆ ସ୍ଥାନରେ କିଛି ଦୁର୍ବୃତ୍ତଙ୍କ ସନ୍ଦେହଜନକ ଚଳପ୍ରଚଳ ନେଇ ପୁଲିସକୁ ସୂଚନା ମିଳିଥିଲା। ପୁଲିସର ଏକଟିମ୍ ଯୋଜନାବଦ୍ଧ ଭାବେ ଘେରାବନ୍ଦୀ କରି ୭ଜଣ ଦୁର୍ବୃତ୍ତଙ୍କୁ ଧରିଥିଲା। ଅନ୍ୟ ଏକ ଚଢ଼ାଉରେ, ବହଳଦା ଥାନାର ପୂର୍ବ କେସ୍ (କେସ୍ ନଂ- ୧୭୪/୨୬ ରେ ସମ୍ପୃକ୍ତ ଥିବା ଜଣେ ଅଭିଯୁକ୍ତ ବେଆଇନ ମାରଣାସ୍ତ୍ର ଧରି ଗମ୍ଭାରିଆ ଗୁଡ଼ିଆ ନଦୀ କୂଳରେ ତା’ର ସହଯୋଗୀମାନଙ୍କୁ ଅପେକ୍ଷା କରୁଥିବା ବେଳେ ଏସଆଇ ଅନନ୍ତ ଦାସଙ୍କ ଟିମ୍ ଚଢ଼ାଉ କରି ଧରିଥିଲେ। ସମସ୍ତ ଅଭିଯୁକ୍ତଙ୍କ ନିକଟରୁ ଗୋଟିଏ ଦେଶୀ ବନ୍ଧୁକ, ଗୋଟିଏ ୮ ଏମ୍ଏମ୍ ଅଫୁଟା ଗୁଳି, ୨ଟି ଧାରୁଆ ଖଣ୍ଡା ଓ ୩ଟି ଲୁହା ରଡ୍, ଗୋଟିଏ ଧଳା ରଙ୍ଗର ମାରୁତି ସୁଜୁକି ଆର୍ଟିଗା କାର୍( ଓଡ଼ି ୧୧- ଏଏ -୪୦୧୭), ୨ ଟି ସୁନା ଚେନ,ଗୋଟିଏ ନଂ ବିହୀନ ବାଇକ୍, ୭ଟି ମୋବାଇଲ୍ ଫୋନ୍, ୨ ପ୍ୟାକେଟ୍ ଲଙ୍କା ଗୁଣ୍ଡ, ଗ୍ୟାସ୍ ଲାଇଟର୍, ସିଗାରେଟ୍ ପକେଟ୍ ସହିତ ନଗଦ ୬,୫୦୦ ଟଙ୍କା ଜବତ କରାଯାଇଛି।
