ଭୁବନେଶ୍ୱର : ବିଦ୍ୟୁତ୍ କର୍ମଚାରୀଙ୍କ ଆନ୍ଦୋଳନକୁ ନେଇ କଠୋର ଆଭିମୁଖ୍ୟ ଗ୍ରହଣ କରିଛି ରାଜ୍ୟ ଶକ୍ତି ବିଭାଗ । TPCODL ଅଧୀନରେ ଚାଲିଥିବା କର୍ମଚାରୀଙ୍କ ଧର୍ମଘଟ ବିରୋଧରେ ଅତ୍ୟାବଶ୍ୟକ ସେବା ରକ୍ଷଣାବେକ୍ଷଣ ଆଇନ ବା ESMAକୁ କଡ଼ାକଡ଼ି ଲାଗୁ କରିବା ପାଇଁ ପୋଲିସ ଡିଜିପିଙ୍କୁ ଚିଠି ଲେଖିଛି ଶକ୍ତି ବିଭାଗ । କାଲି ଶକ୍ତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ବିଶାଳ କୁମାର ଦେବ ଏହି ଚିଠି ଲେଖିଛନ୍ତି ।
ଭାରତୀୟ ମଜଦୁର ସଂଘ ସହ ଅନୁବନ୍ଧିତ ନିଖିଳ ଓଡ଼ିଶା ବିଦ୍ୟୁତ୍ ମଜଦୁର ମହାସଂଘର କର୍ମକର୍ତ୍ତା ଓ ସଦସ୍ୟମାନେ ଗତ ୧ ତାରିଖରୁ ଆନ୍ଦୋଳନ ଚଳାଇଛନ୍ତି । ସଂଘର ସାଧାରଣ ସମ୍ପାଦକ ସତ୍ୟବ୍ରତ ପରିଡ଼ାଙ୍କ ନେତୃତ୍ୱରେ ଏହି ଆନ୍ଦୋଳନ ଜାରି ରହିଛି। ଶକ୍ତି ବିଭାଗର କହିବା ଅନୁସାରେ, TPCODL କର୍ତ୍ତୃପକ୍ଷ ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ ପାଇଁ ଉଦ୍ୟମ କରିଛନ୍ତି। ତେବେ ଆନ୍ଦୋଳନ ଆଗକୁ ଆହୁରି ତୀବ୍ର ହୋଇପାରେ।
କର୍ମଚାରୀମାନେ ସମ୍ପୂର୍ଣ୍ଣ କାର୍ଯ୍ୟବନ୍ଦ କଲେ ବିଦ୍ୟୁତ୍ ଯୋଗାଣ ବାଧାପ୍ରାପ୍ତ ହେବାର ଆଶଙ୍କା ରହିଛି।ଭୁବନେଶ୍ୱର ଓ କଟକ ସମେତ ୯ଟି ଜିଲ୍ଲାରେ ବିଦ୍ୟୁତ୍ ସେବା ପ୍ରଭାବିତ ହୋଇପାରେ। ଏହାଦ୍ୱାରା ସାଧାରଣ ଲୋକଙ୍କ ସହ ଡାକ୍ତରଖାନା ଓ ଅନ୍ୟାନ୍ୟ ଜରୁରୀ ସେବା ପ୍ରଭାବିତ ହେବାର ଆଶଙ୍କା ପ୍ରକାଶ କରିଛି ବିଭାଗ। ଏପରିକି ଆଇନଶୃଙ୍ଖଳା ପରିସ୍ଥିତି ମଧ୍ୟ ସୃଷ୍ଟି ହୋଇପାରେ ବୋଲି ଚିଠିରେ ଉଲ୍ଲେଖ ରହିଛି।
ଗତ ମେ’ ୨୧ ତାରିଖରୁ ରାଜ୍ୟର ବିଦ୍ୟୁତ୍ ସଂସ୍ଥାଗୁଡ଼ିକ ଉପରେ ESMA ଲାଗୁ ହୋଇଛି । GRIDCO, OPTCL, OHPC, OPGC ଓ ବିଦ୍ୟୁତ୍ ବିତରଣ କମ୍ପାନୀଗୁଡ଼ିକ ଏହି ନିର୍ଦ୍ଦେଶ ଅଧୀନରେ ରହିଛନ୍ତି। ନଭେମ୍ବର ୨୦ ତାରିଖ ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ। ତେଣୁ ଧର୍ମଘଟ ଯୋଗୁଁ ବିଦ୍ୟୁତ୍ ସେବା ବାଧାପ୍ରାପ୍ତ ନହେବା ପାଇଁ ସ୍ଥାନୀୟ ପୋଲିସକୁ ଆବଶ୍ୟକ ନିର୍ଦ୍ଦେଶ ଦେବାକୁ ଡିଜିପିଙ୍କୁ ଅନୁରୋଧ କରାଯାଇଛି। ESMA ଉଲ୍ଲଂଘନ ହେଲେ ସଂଘ କିମ୍ବା ଏହାର କର୍ମକର୍ତ୍ତାଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନେବାକୁ କୁହାଯାଇଛି। ଏହି ଚିଠିର ଏକ ନକଲ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କୁ ମଧ୍ୟ ପଠାଯାଇଛି।
