ବାଲିଯାତ୍ରା ପଡ଼ିଆରେ ପ୍ଲାଷ୍ଟିକ୍ ବ୍ୟବହାର ହେଉଛି କି ନାହିଁ, ତାହା ଯାଞ୍ଚ କରିବା ପାଇଁ ଦିନ ଓ ରାତିରେ ସ୍ପେଶାଲ୍ ସ୍କ୍ୱାଡ୍ ଦ୍ୱାରା ଚଢ଼ାଉ କରାଯିବ। ନିୟମ ଉଲ୍ଲଂଘନ କଲେ ଜରିମାନା ସହ ଷ୍ଟଲ୍ ମଧ୍ୟ ବାତିଲ କରାଯାଇପାରେ। ପ୍ଲାଷ୍ଟିକ୍ ଜରି ବଦଳରେ କେବଳ କାଗଜ କିମ୍ବା କପଡ଼ା ବ୍ୟାଗ୍ ବ୍ୟବହାର କରିବାକୁ ବ୍ୟବସାୟୀ ଓ ଗ୍ରାହକମାନଙ୍କୁ ଅନୁରୋଧ କରାଯାଇଛି। ପରିବେଶକୁ ସୁଦୃଢ଼ ରଖିବା ପାଇଁ ପ୍ରଶାସନ ସହିତ ଜନସାଧାରଣଙ୍କ ସହଯୋଗ ମଧ୍ୟ ଲୋଡ଼ାଯାଇଛି।
କଟକ: ପରିବେଶ ସୁରକ୍ଷା ପାଇଁ ପ୍ରଶାସନର ବଡ଼ ପଦକ୍ଷେପ। ଐତିହାସିକ କଟକ ବାଲିଯାତ୍ରାକୁ ସମ୍ପୂର୍ଣ୍ଣ ପ୍ଲାଷ୍ଟିକମୁକ୍ତ କରିବା ପାଇଁ ପ୍ରଶାସନ ତରଫରୁ କଡ଼ା ନିର୍ଦ୍ଦେଶ ଜାରି କରାଯାଇଛି। ମହାନଦୀର ସୁରକ୍ଷା ଏବଂ ପରିବେଶକୁ ସ୍ୱଚ୍ଛ ରଖିବା ଉଦ୍ଦେଶ୍ୟରେ ଏଥର ଯାତ୍ରା ପଡ଼ିଆରେ ସିଙ୍ଗଲ୍-ୟୁଜ୍ ପ୍ଲାଷ୍ଟିକ୍ (ଥରକ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକ୍) ବ୍ୟବହାରକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି। ପ୍ଲାଷ୍ଟିକ୍ ବଦଳରେ ଶାଳପତ୍ର ଖଲି ବ୍ୟବହାର ପାଇଁ ଜିଲ୍ଲାପାଳ ଦେଇଛନ୍ତି ନିର୍ଦ୍ଦେଶ। ସରକାରଙ୍କ ତରଫରୁ ସୁଲଭ ଦରରେ ଶାଳପତ୍ର ଯୋଗାଇ ଦିଆଯିବ।
ପ୍ଲାଷ୍ଟିକ୍ ପ୍ଲେଟ୍ ଓ କପ୍ ବଦଳରେ ପାରମ୍ପରିକ ଶାଳପତ୍ର ଖଲି ଏବଂ ବାୟୋ-ଡିଗ୍ରେଡେବଲ୍ (ଜୈବ-ବିଘଟନଶୀଳ) ସାମଗ୍ରୀ ବ୍ୟବହାର କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ବ୍ୟବସାୟୀଙ୍କ ସୁବିଧା ପାଇଁ ଓରମାସ (ORMAS) ଏବଂ ଜିଲ୍ଲା ପ୍ରଶାସନ ମିଳିତ ଭାବେ ଖାଦ୍ୟ ଷ୍ଟଲଗୁଡ଼ିକୁ ସ୍ୱଳ୍ପ ମୂଲ୍ୟରେ ଶାଳପତ୍ର ଖଲି ଓ ଦୋସା ପତ୍ର ଯୋଗାଇ ଦେବାର ବ୍ୟବସ୍ଥା କରିଛନ୍ତି।
