ଇମ୍ପେରିଆଲ ହାଇଟ୍ସ ବିଲ୍ଡିଂରେ ଅଗ୍ନିକାଣ୍ଡ, ୨ ମହିଳା ମୃତ

Fire 1

ମହାରାଷ୍ଟ୍ର: ମହାରାଷ୍ଟ୍ରର ନାଲାସୋପାରା-ଭାସାଇ ଲିଙ୍କ ରୋଡରେ ଥିବା ଇମ୍ପେରିଆଲ ହାଇଟ୍ସ ବିଲ୍ଡିଂରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିବା ଦେଖିବାକୁ ମିଳିଛି । ଏହି ଅଗ୍ନିକାଣ୍ଡରେ ୨ ଜଣ ମହିଳାଙ୍କର ଦୁଃଖଦ ମୃତ୍ୟୁ ଘଟିଛି । ମୃତ ମହିଳାମାନେ ହେଉଛନ୍ତି ଫାଲଗୁନି ଶାହ ଏବଂ ଅଶ୍ୱିନୀ ପାରକର । ଉଭୟଙ୍କ ବୟସ ୫୦ ବର୍ଷ ଥିବା ଜଣାପଡିଛି ।  ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଛି ।

ସୂଚନାନୁଯାୟୀ, ନାଲାସୋପାରା-ଭାସାଇ ଲିଙ୍କ ରୋଡରେ ଥିବା ଇମ୍ପେରିଆଲ ହାଇଟ୍ସ କୋଠାରେ ମଧ୍ୟରାତ୍ରିରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା । ଏହି ଅଗ୍ନିକାଣ୍ଡ ଘଟଣାରେ ୨ଜଣ ମହିଳାଙ୍କର ପ୍ରାଣ ଚାଲିଯାଇଥିଲା । ଏଥିସହ ଅଗ୍ନିକାଣ୍ଡ ପରେ ସମାନ କୋଠାର ୧୪ ମହଲାରେ ଗୋଟିଏ ପରିବାରର ଚାରି ଜଣ ସଦସ୍ୟ ଫସି ରହିଥିଲେ । ପ୍ରାୟ ୪୦ ରୁ ୪୫ ମିନିଟ୍ ପର୍ଯ୍ୟନ୍ତ ସାହାଯ୍ୟ ପାଇଁ ଅପେକ୍ଷା କରିବା ପରେ, ଭାସାଇ-ଭିରାର ମ୍ୟୁନିସିପାଲ କର୍ପୋରେସନର ଅଗ୍ନିଶମ ବାହିନୀ ଏକ କ୍ରେନ୍ ସାହାଯ୍ୟରେ ଚାରି ଜଣଙ୍କୁ ସୁରକ୍ଷିତ ଭାବରେ ବାହାର କରିଥିଲେ । ଅଗ୍ନିକାଣ୍ଡ ଯୋଗୁଁ ନିର୍ଗତ ଧୂଆଁରୁ ଶ୍ୱାସରୁଦ୍ଧ ହୋଇ ୨ ମହିଳାଙ୍କର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । କିନ୍ତୁ ଏପର୍ଯ୍ୟନ୍ତ ସୁଦ୍ଧା ମୃତ୍ୟୁର ପ୍ରକୃତ କାରଣ ଜଣାପଡିନାହିଁ । ପୋଷ୍ଟମର୍ଟମ ପରେ ହିଁ ମୃତ୍ୟୁର ସଠିକ୍ କାରଣ ଜଣାପଡିବ ।

ଅନ୍ୟପଟେ ଘଟଣା ସମ୍ପର୍କରେ ସୂଚନା ପାଇ ପୂର୍ବତନ ମେୟର ରୂପେଶ ଜାଧବ ଘଟଣାସ୍ଥଳରେ ପହଞ୍ଚି ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟର ସମୀକ୍ଷା କରିଥିଲେ । ଆଚୋଲ ପୋଲିସ ମଧ୍ୟ ଘଟଣାସ୍ଥଳରେ ଉପସ୍ଥିତ ଥିଲା । ଅଗ୍ନିଶମ ବାହିନୀର ତତ୍ପରତା ଯୋଗୁଁ ୧୪ ମହଲାରେ ଫସି ରହିଥିବା ଚାରି ଜଣଙ୍କ ଜୀବନ ରକ୍ଷା ହୋଇପାରିଥିଲା ।

Share